କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ଙ୍କ ନିଶାନାରେ ନବୀନ ଓ ନିରଞ୍ଜନ

ଭୁବନେଶ୍ୱର : ଜୁଏଲ୍‌ଙ୍କ ନିଶାନାରେ ଦୁଇ ପଟ୍ଟନାୟକ। ନବୀନ ଓ ନିରଞ୍ଜନ। ନବୀନ, ନିରଞ୍ଜନଙ୍କ ଭାଇ ସୌମ୍ୟଙ୍କୁ ଦଳକୁ ଆଣି କଂଗ୍ରେସ ସହ ଭିତରି ବୁଝାମଣା ଦ୍ୱାର ଖୋଲା ରଖିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୁଏଲ୍। ଅତୀତର କିଛି ଘଟଣା କ୍ରମକୁ ଉଦ୍ଧାର କରି ସେ କଂଗ୍ରେସ ଓ ବିଜେଡିର ଗୋପନ ବୁଝାମଣାର ଅବତାରଣା କରିଛନ୍ତି।

୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠାଇ ସେତେବେଳେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜୁଏଲ୍। ତାସହିତ ସୋନିଆଙ୍କ କଲଚରାଲ ଆସୋସିଏନରେ ନବୀନଙ୍କ ଭୂମିକା କଥା ବି ଉଠାଇଛନ୍ତି। ସେହିପରି କଂଗ୍ରେସ ସହ ଅନ୍ତରଙ୍ଗ ସଂପର୍କ ରଖିଥିବା ଶ୍ୟାମ ପିଟ୍ରୋଡାଙ୍କୁ ନବୀନ କ୍ୟାବିନେଟ ପାହ୍ୟା ଦେବା, ବିଜେପୁର ଉପନିର୍ବାଚନରେ କଂଗ୍ରେସର ବିଜେଡିକୁ ଭିତରି ସମର୍ଥନ ଅଭିଯୋଗ ସହିତ ସୌମ୍ୟଙ୍କୁ ନବୀନ ରାଜ୍ୟସଭା ପଠାଇବା ଦୁଇ ଦଳର ଗୋପନ ବୁଝାମଣାକୁ ପ୍ରମାଣିତ କରୁଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିରେ ଉଭୟ ଦଳର ନେତାଙ୍କ ଭୂମିକାକୁ ନେଇ ବି ସେ ବର୍ଷିଛନ୍ତି।

ଜୁଏଲଙ୍କ ଏହି ଅଭିଯୋଗର ଜବାବ ରଖିବା ସହ ସୌମ୍ୟରଂଜନ, ଜୁଏଲଙ୍କୁ  କନକବର୍ଦ୍ଧନ  ଓ ଅନଙ୍ଗ ଉଦୟଙ୍କ ଉଦାହରଣ ରଖି କାଚ ଘରେ ରହି ଟେକା ନପକାଇବାକୁ ପରାମର୍ଶ ଦେଇଛନ୍ତି। ନିରଂଜନ ବି ସମାନ ଢଙ୍ଗରେ ଜୁଏଲଙ୍କୁ ଆକ୍ରମଣ  କରିଛନ୍ତି। ବିଜେଡି କହିଛି କର୍ଣାଟକ ଝଟକା ଲାଗିବା ପରେ ଭୟଭୀତ ହୋଇଛି ବିଜେପି। ପୂର୍ବରୁ ବିଜେପି ଅନେକ ବାର କଂଗ୍ରେସକୁ ବିଜେଡିର ଆଶାବାଡି ବୋଲି ଅଭିଯୋଗ କରିଆସୁଛି। କଂଗ୍ରେସ ମଧ୍ୟ ବିଜେପି-ବିଜେଡିର ଗୋପନ ସଂପର୍କର ଅଭିଯୋଗ ଆଣୁଛି। ତେବେ ଏସବୁ ଭିତରେ ଦୁଇ ଦଳକୁ କେନ୍ଦ୍ର ମନ୍ତ୍ରୀଙ୍କ ଶାଣିତ ଆକ୍ରମଣ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି।

You might also like