ନବୀନଙ୍କ ରହସ୍ୟମୟ ପୃଷ୍ଠା ଖୋଲିଲା ଜୀବନୀ ପୁସ୍ତକ

ବିରୋଧୀଙ୍କୁ ମାତ୍ ଦେଇ କେମିତି କ୍ଷମତା କେନ୍ଦ୍ରରେ ରହିଛନ୍ତି ନବୀନ ?

ଭୁବନେଶ୍ୱର : ନବୀନ ପଟ୍ଟନାୟକ ,ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଛବିକୁ ଅାୟୁଧ କରି ଓଡ଼ିଶାରେ ସର୍ବାଧିକ ସମୟ କ୍ଷମତା ଡୋରି ଧରିଅାସିଥିବା ମୁଖ୍ୟମନ୍ତ୍ରୀ। ହେଲେ ଏହା ପଛର ରହସ୍ୟ କଣ? କେମିତି ରାଜ୍ୟ ରାଜନୀତିରେ ହେଲା ନବୀନଙ୍କ ଏଣ୍ଟ୍ରି? କାହିଁକି ତାଙ୍କ ଅପ୍ରତିଦ୍ୱନ୍ଦ୍ୱୀ ଦବ୍‌ଦବା ।  ଏ ସବୁ ଉପରେ ଅାଲୋକପାତ କରିଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଜୀବନୀ ପୁସ୍ତକ- ନବୀନ ପଟ୍ଟନାୟକ ।

ଅପାରଗ ଓ କୁଶାସନକୁ ନେଇ ଯେତେବେଳେ ଓଡ଼ିଶାବାସୀ ଅତିଷ୍ଠ , ସେତିକିବେଳେ ଦଲକାଏ ସ୍ୱଚ୍ଛ ପବନ ଭଳି ଓଡ଼ିଶା ରାଜନୀତିରେ ହୋଇଥିଲା ନବୀନଙ୍କ ଏଣ୍ଟ୍ରି । ଅାଉ ରାଜ୍ୟବାସୀ ବି ଅତି ଶୀଘ୍ର ଅାଦରି ନେଇଥିଲେ ତାଙ୍କୁ ।ରାଜ୍ୟ ରାଜନୀତିରେ ନବୀନଙ୍କ ପ୍ରବେଶକୁ ନିଜ ପୁସ୍ତକ ‘ନବୀନ ପଟ୍ଟନାୟକ’ରେ ଏମିତି ବର୍ଣ୍ଣନା କରିଛନ୍ତି ଲେଖକ ରୁବେନ୍ ବାନାର୍ଜୀ । ନବୀନଙ୍କୁ ଓଡ଼ିଶାବାସୀଙ୍କ ତ୍ରାଣକର୍ତ୍ତା ଭାବେ ଚିତ୍ରିତ କରିଛନ୍ତି ରୁବେନ୍।

ଓଡ଼ିଶା ରାଜନୀତି ବିଷୟରେ ସଂପୂର୍ଣ୍ଣ ଅଜ୍ଞଥିଲେ ମଧ୍ୟ ନବୀନଙ୍କୁ ଜଣେ ଚତୁର ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ରୁବେନ୍। ତାଙ୍କ ନିକଟରେ ରୁଥ୍‌ଲେସ୍ କିଲର ଇନ୍‌ଷ୍ଟିଙ୍କଟ(ନିର୍ଦ୍ଦୟୀ ରାଜନେତା) ଥିବା ସେ ଲେଖିଛନ୍ତି। ବିଜୟ ହୁଅନ୍ତୁ କି ପ୍ୟାରୀ- ବିଚକ୍ଷଣ ଗୋଟିଚାଳନା ବଳରେ ନବୀନ ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିଙ୍କୁ କିଭଳି ଧରାଶାୟୀ କରିବା ସହ ବିଜେଡି ଉପରେ ନିଜ ଲଗାମକୁ ଟାଣ କରିଛନ୍ତି ତାହା ବି ଲେଖିଛନ୍ତି ରୁବେନ୍।

ନବୀନଙ୍କ ଓଡ଼ିଆ ଜ୍ଞାନ ସଂପର୍କରେ ରୋଚକ ତଥ୍ୟ ଦେଇଛନ୍ତି ରୁବେନ। ତାଙ୍କ ଅନୁସାରେ ନବୀନ ଓଡ଼ିଆ ଜାଣନ୍ତି, ହେଲେ କୁହନ୍ତି ନାହିଁ। ତେବେ ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଥିବା ଓଟିଭି ଖୋଲାକଥାରେ ମତ ରଖିଛନ୍ତି ରୁବେନ୍।

ଓଡ଼ିଶା ରାଜନୀତିରେ ଅମଲାଙ୍କ ଦବ୍‌ଦବା ଓ ସେମାନଙ୍କ ଉପରେ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା ପ୍ରସଙ୍ଗକୁ ରୁବେନ ନିଜ ବହିରେ ସ୍ଥାନ ଦେଇଛନ୍ତି। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଅାନଙ୍କ ନାଁ ନେଇ ନଥିଲେ ମଧ୍ୟ ଓଡ଼ିଶା ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ଥିବା କହିଛନ୍ତି।

ଏଥିସହ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ କିଭଳି ପାଣ୍ଡିଅାନଙ୍କ ଅଫିସ୍ ଅାଗରେ ଧାଡି ଲଗାନ୍ତି ତାହା ସେ ନିଜ ଅାଖିରେ ଦେଖିଥିବା ଓଟିଭି ଖୋଲାକଥାରେ କହିଛନ୍ତି। ତେବେ ପାଣ୍ଡିଅାନ ହିଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି ଓ ନବୀନ ସେସବୁ ଜାଣିବାକୁ ଅାଗ୍ରହ ବି ଦେଖାନ୍ତି ନାହିଁ ବୋଲି ରୁବେନ୍ କହିଛନ୍ତି।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ନବୀନଙ୍କ ମଧ୍ୟରେ ମନୋମାଳିନ୍ୟ କଥା ବି ନିଜ ବହିରେ ଉଲ୍ଲେଖ କରିଛନ୍ତି ରୁବେନ୍। ବୈଜୟନ୍ତ ନବୀନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଭ୍ରମାତ୍ମକ ତଥ୍ୟ ଦେଇଥିବାରୁ  ନବୀନ ଅସନ୍ତୁଷ୍ଟ ହୋଇଥିବା ନେଇ ବିଜେଡି ତରଫରୁ ଯାହା କୁହାଯାଉଛି ରୁବେନ୍ ତାର ଗୁମର ବି ଖୋଲିଛନ୍ତି। ହେଲେ ବାସ୍ତବରେ ନବୀନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି। ବିଜେଡି ନେତା ଏହାକୁ ସ୍ୱୀକାର କରୁନଥିବା ସେ ମତ ଦେଇଛନ୍ତି ।

ରାଜନୀତିକୁ ଅାସିବା ପୂର୍ବରୁ ଯୁବାବସ୍ଥାରେ ନବୀନଙ୍କ ଶିକ୍ଷା, ଦିଲ୍ଲୀରେ ସଂଭ୍ରାନ୍ତଙ୍କ ସହ ମିଳାମିଶା, ଦୈନିକ ବଡବଡ଼ ପାର୍ଟିରେ ଯୋଗଦେବା ଓ ନିଜେ ପାର୍ଟି ଅାୟୋଜନ କରିବା ଭଳି ନବୀନଙ୍କ ବିଳାସମୟ ଜୀବନଚର୍ଯାକୁ ପୁସ୍ତକରେ ସ୍ଥାନ ଦେଇଛନ୍ତି ରୁବେନ୍ ହଲିଉଡ୍ ଅଭିନେତା ରର୍ବଟ ଡି ନିରୋଙ୍କ ଠାରୁ ଅାରମ୍ଭ କରି ରକ୍ ଷ୍ଟାର ମାଇକ୍ ଜାଗର, ଅଭିନେତ୍ରୀ କୁ ଷ୍ଟାର୍କ, ଲେଖକ ବ୍ରୁସ୍ ଚାଟ୍ଓ୍ୱିନ୍‌ଙ୍କ ଭଳି ଦେଶ ବିଦେଶର ସେଲେବ୍ରିଟିଙ୍କ ସହ ନବୀନଙ୍କ ବସାଉଠା ବିଷୟକୁ ବି ସାମ୍ନାକୁ ଅାଣିଛନ୍ତି।

ବିଶ୍ୱବ୍ୟାପୀ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ବନ୍ଧୁତା ଓ ବହି ଏବଂ ଚଳଚ୍ଚିତ୍ର ପ୍ରତି ଅାଗ୍ରହ ଦୃଷ୍ଟିରୁ ନବୀନ କେମିତି ହଲିଉଡ୍ ଚଳଚ୍ଚିତ୍ର ଦ ଡିସିଭର୍ସରେ ଅଭିନୟ କରିବାର ସୁଯୋଗ ପାଇଥିଲେ ସେ କଥା ବି  ଲେଖିଛନ୍ତି ରୁବେନ। ଅନ୍ୟପକ୍ଷରେ ଅତି ଦାମିକା ଡନ୍‌ହିଲ୍ ସିଗାରେଟ୍ ଏବଂ ଗ୍ରାଉସ ହ୍ୱିସ୍କି ନବୀନଙ୍କ ଅତି ପ୍ରିୟ ଥିଲା ଏବଂ ନବୀନ ସେଇ ଅଭ୍ୟାସକୁ ଏବେବି ଛାଡିପାରିନଥିବା ରୁବେନ୍ ନିଜ ବହିରେ ଉଲ୍ଲେଖ କରିଛନ୍ତି।

 

You might also like