ବିଳମ୍ବ ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଉଡ଼ାଣ
ଭୁବନେଶ୍ୱର: ବିଳମ୍ବ ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଉଡ଼ାଣ। ଏହି ବିମାନ ବନ୍ଦର ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନବନ୍ଦରର ମାନ୍ୟତା ପାଇବା ପରେ ଆସନ୍ତା ଜୁନ୍ ୧୪ରୁ ଝାରସୁଗୁଡ଼ା ସିଡ଼୍ୟୁଲ୍ ବିମାନ ଉଡ଼ାଣ ପାଇଁ ଆପାତତଃ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବିମାନ ବନ୍ଦରକୁ ଇନଷ୍ଟ୍ରୁମେଣ୍ଟ୍ ଫ୍ଲାଇଟ୍ ରୁଲ୍ସ ଲାଇସେନ୍ସ ମିଳି ନାହିଁ। ସେହିପରି ସୁରକ୍ଷାକର୍ମୀଙ୍କ ପ୍ରଶିକ୍ଷଣ ଶେଷ ହୋଇ ନ ଥିବାରୁ ମଧ୍ୟ ଉଡ଼ାଣରେ ବିଳମ୍ବ ହେବା ନେଇ ଆଶଙ୍କା ଦେଖା ଦେଇଛି।
ପଶ୍ଚିମ ଓଡ଼ିଶାର ବ୍ୟସ୍ତବହୁଳ ଶିଳ୍ପାଞ୍ଚଳ ଝାରସୁଗୁଡ଼ା ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହେଉଛି ଏଠାକାର ନୂଆ ବିମାନବନ୍ଦର। ନୂଆ ରନ୍ୱେ, ପାସେଞ୍ଜର ଟର୍ମିନାଲ୍, ଆପ୍ରୋଚ୍, ପାସେଞ୍ଜର ଲାଉଞ୍ଜ ଇତ୍ୟାଦି ସବୁ ପ୍ରସ୍ତୁତ। ହେଲେ, ନୂଆ ବିମାନବନ୍ଦରକୁ ଏବେ କେବଳ ମିଳିଛି ଭିଜୁଆଲ୍ ଫ୍ଲାଇଟ୍ ରୁଲସ୍ (ଭିଏଫ୍ଆର୍)। ଇନଷ୍ଟ୍ରୁମେଣ୍ଟ୍ ଫ୍ଲାଇଟ୍ ରୁଲ୍ସ ଲାଇସେନ୍ସ ବା ଆଇଏଫ୍ଆର୍ ଲାଇସେନ୍ସ ମିଳିନି। ଏହାର ଅର୍ଥ ଏହି ବିମାନବନ୍ଦରରେ ବିମାନ ଅବତରଣ ଓ ଉଡ଼ାଣ ପାଇଁ ପାଇଲଟ୍ଙ୍କୁ ନିଜ ଆଖି ଉପରେ ନିର୍ଭର କରିବାକୁ ପଡ଼ିବ।
ଅତି କମ୍ରେ ୫ ହଜାର ମିଟର ଭିଜିବିଲିଟି ରେଞ୍ଜ୍ ନ ହେଲେ ବିମାନ ଅବତରଣ କଷ୍ଟସାଧ୍ୟ ହେବ। ଝାରସୁଗୁଡ଼ାର ପରିବେଶ ଆକଳନରୁ ଜଣାଯାଏ ଯେ, ଏଠାରେ ଭିଜିବିଲିଟି ରେଞ୍ଜ ପ୍ରାୟ ୩ ହଜାର ମିଟର। ଏଠାରେ ଅନେକ ଶିଳ୍ପାନୁଷ୍ଠାନ ଥିବାରୁ ଏହାର ଆକାଶ ଅନେକ ସମୟରେ ଧୂଆଁମୟ ରହୁଛି। ଏସବୁ କାରଣ ନିର୍ଦ୍ଧାରିତ ସମୟର ଉଡ଼ାଣକୁ ପ୍ରଭାବିତ କରିପାରେ। ସେହିପରି ବିମାନବନ୍ଦର ପାଇଁ ନିଯୁକ୍ତ ସୁରକ୍ଷାକର୍ମୀଙ୍କ ପ୍ରଶିକ୍ଷଣ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।
ତେବେ ଝାରସୁଗୁଡ଼ାରେ ଇନଷ୍ଟ୍ରୁମେଣ୍ଟ୍ ଫ୍ଲାଇଟ୍ ରୁଲ୍ସକୁ କାର୍ଯ୍ୟକାରୀ କରାଇବା ଲାଗି ଏହା ଭିତରେ ଡିଭିଓଆର୍ ଯନ୍ତ୍ର ଆସିଯାଇଛି ଏବଂ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ଆହୁରି ଦୁଇ ମାସ ସମୟ ଲାଗିଯିବ ବୋଲି କହିଛନ୍ତି ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆର ରିଜିଓନାଲ୍ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ମଧ୍ୟ ଯାନ୍ତ୍ରିକ ସ୍ଥିତି ଠିକ୍ କରିବାକୁ ଆଉ କିଛିଦିନ ସମୟ ଲାଗିବ ବୋଲି କହିଛନ୍ତି।
ଝାରସୁଗୁଡ଼ାରୁ ଉଡ଼ାନ୍ ଯୋଜନାରେ ଉଡ଼ାଣ ଆରମ୍ଭ ହେବା ପରେ ଏୟାରବସ୍ ଉଡ଼ାଣ ପାଇଁ ଆଉ କିଛି ମାସ ସମୟ ଲାଗିବ। ସେହିଭଳି ଉଡ଼ାନ୍ ଯୋଜନାରେ ସାମିଲ ହୋଇଥିବା ରାଉରକେଲାକୁ ଅନୁମତି ମିଳିବା ପରେ ହିଁ ବିମାନ ଉଡ଼ାଣ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।