ଝାରସୁଗୁଡ଼ା ବିମାନବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବ ଝାରସୁଗୁଡ଼ା ବିମାନବନ୍ଦର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।
ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ାରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ଅାବଶ୍ୟକତାକୁ ପୂରଣ କରିବ। ଏହି ବିମାନବନ୍ଦର ନାମକରଣ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଉଥିବାରୁ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ସେପଟେ ଝାରସୁଗୁଡ଼ା ବିମାନବନ୍ଦରରୁ ପରୀକ୍ଷାମୂଳକ ଭାବେ ବିମାନ ଉଡ଼ିଛି। ଏୟାର ଓଡ଼ିଶା ପକ୍ଷରୁ ଏଠାରେ ପରୀକ୍ଷାମୂଳକ ଭାବେ ଏକ ବିମାନ ଅବତରଣ କରିଥିଲା। ଏଥିରେ ଏୟାର ଓଡ଼ିଶାର ୪ ଜଣ ଅଧିକାରୀ ଅଧଘଣ୍ଟା ରହିବା ପରେ ପୁଣି ଭୁବନେଶ୍ୱର ଫେରି ଯାଇଥିଲେ।
ସୂଚନାଥାଉ କି, ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରୁ ଏଠାକୁ ବିଧିବଦ୍ଧ ଭାବେ ବିମାନ ସେବା ଆରମ୍ଭ ହେବ ବୋଲି ଏହି ଅବସରରେ ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।