କାମ ନେଇଥିବା ଅଣଓଡ଼ିଆ ଠିକା ସଂସ୍ଥାର ରହିଛି ତୃତୀୟ ମହଲାରେ ହାତ : ଓଡ଼ିଶା ଠିକାଦାର ମହାସଂଘ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ବୋରିପୁଟ ପାହାଡ଼ ଧସିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଅଘଟଣରେ ସାଂଘାତିକ ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଏହି ଘଟଣା ପଛରେ ତୃତୀୟ ମହଲାର ଲିଙ୍କ୍ ଥିବା ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ।

ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଠିକାଦାର ସଂଘ ସଭାପତି ପ୍ରଭାତ ଦାଶ କହିଛନ୍ତି ଯେ, ପାହାଡ଼ରୁ ପଥର ଖୋଳା ଦାୟିତ୍ୱରେ ଥିବା ଅଣଓଡ଼ିଆ ଠିକା ସଂସ୍ଥା ଡିଡି ବିଲ୍‌ଡର୍ସର ୩ୟ ମହଲାରେ ହାତ ରହିଛି। ୩ୟ ମହଲା ସହ ଲିଙ୍କ୍ ଥିବାରୁ ସଂସ୍ଥା ମୁଖ୍ୟଙ୍କୁ ଗିରଫ କରାଯାଉନି। ବମିଖାଲ ବ୍ରିଜ୍ ଭୁଶୁଡ଼ିବା ନେଇ ଠିକାଦାରଙ୍କୁ ଗିରଫ କରାଗଲ। କିନ୍ତୁ ବୋରିପୁଟରେ ଏତେବଡ଼ ଅଘଟଣ ପରେ ବି ରାଜ୍ୟ ସରକାର ଚୁପ୍ ରହିଥିବା ଅଭିଯୋଗ କରିଛନ୍ତି ପ୍ରଭାତ।

ଏହି ଘଟଣାରେ ଦାୟୀ ଠିକା ସଂସ୍ଥାର ମାଲିକଙ୍କୁ ଗିରଫ କରିଯିବା ସହ ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଓଡ଼ିଶା ଠିକାଦାର ମହାସଂଘ। ତାସହ ମହାସଂଘର ସଭାପତି କହିଛନ୍ତି ଯେ, ଭୁଶୁଡ଼ି ଥିବା ବମିଖାଲ ବ୍ରିଜ୍‌ର ନିର୍ମାଣ କାମ ସାରିବାକୁ ଡିଡି ବିଲ୍ଡର୍ସକୁ ଦିଆଯାଇଥିବା କହିଛନ୍ତି। ତେଣୁ ଏହି ଡି.ଡି.ବିଲଡର୍ସକୁ ତୁରନ୍ତ ବମିଖାଲ ବ୍ରିଜର ନିର୍ମାଣ ଦାୟିତ୍ୱରୁ ହଟାଯାଉ। ନଚେତ୍ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଓଡ଼ିଶା ଠିକାଦାର ମହାସଂଘର ସଭାପତି।

You might also like