JEE ମେନ୍ ପରୀକ୍ଷା
ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ପରୀକ୍ଷା ହୋଇଛି। ପ୍ରଥମ ପେପର ପରୀକ୍ଷା ସାଢ଼େ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିଛି। ସେହିପରି ଦ୍ୱିତୀୟ ପେପର ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ୫ଟା ପର୍ଯ୍ୟନ୍ତ ଚାଲିବ। ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶାର ମୋଟ ୪୪ ହଜାର ୪୮୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫ୍ଲାଇନରେ ପରୀକ୍ଷା ଦେଉଥିବା ବେଳେ ୭ ହଜାର ୯୮୯ ଜଣ ଅନ୍ଲାଇନରେ ପରୀକ୍ଷା ଦେବେ। ଅନଲାଇନ୍ ପରୀକ୍ଷା ଏପ୍ରିଲ ୧୫ ଏବଂ ୧୬ ତାରିଖରେ ହେବ।
ପରୀକ୍ଷା କେନ୍ଦ୍ରକୁ ଆଡମିଟ କାର୍ଡ ନେବା ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, କାଲ୍କୁଲେଟର, ମେଟାଲିକ୍ ଜୁଏଲାରୀ ପ୍ରଭୃତି ନେବାକୁ ବାରଣ କରାଯାଇଛି। ଯେଉଁମାନେ ମଧୁମେହ ରୋଗୀ ସେମାନେ ସୁଗାର ଟାବ୍ଲେଟ, ଫଳ ଓ ପାଣି ନେଇପାରିବାର ନିୟମ ରହିଛି। ଏପ୍ରିଲ ୩୦ ତାରିଖରେ ପ୍ରଥମ ସିଟିଂ ଓ ମେ ୩୧ ତାରିଖରେ ଦ୍ୱିତୀୟ ସିଟିଂର ପରୀକ୍ଷା ଫଳ ପ୍ରକାଶ ପାଇବ।