ଜେଡିଏସ୍‌ର ଅଭିଯୋଗ: ଲୋଭନୀୟ ଅଫର ଦେଉଛି ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ସେନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପତ୍ର ଦେଇଥିବା ବେଳେ ଜେଡ଼ିଏସ୍  ଓ କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ ଦଳ ଦାବି କରୁଛନ୍ତି।

ବୁଧବାର ଜେଡିଏସ୍‌ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାରସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି।  ନିର୍ବାଚିତ ହେବାପରେ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ, “ବିଜେପି ଜେଡିଏସ୍‌ର ୩୮ଜଣ ବିଧାୟକଙ୍କୁ ଲୋଭନୀୟ ଅଫର୍ ଦେଇଛି। ପ୍ରତି ବିଧାୟକଙ୍କୁ ୧୦୦ କୋଟି ଟଙ୍କା ସହିତ ମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ମଧ୍ୟ ଦେଇଛି।” ବିଜେପି ତାଙ୍କଠାରୁ ମଧ୍ୟ ସମର୍ଥନ ଲୋଡ଼ିଥିଲା ବୋଲି କୁମାରସ୍ୱାମୀ କହିଛନ୍ତି। ବିଜେପି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି ବିଜେପି ଆମ ଦଳର ବିଧାୟକଙ୍କୁ ନେବାକୁ ଚେଷ୍ଟା କରେ ତେବେ ଆମେ ମଧ୍ୟ ଏଭଳି କରିବୁ।” ଏଥିସହିତ ଆଜି ଆଉ ଥରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି କୁମାରସ୍ୱାମୀ କହିଛନ୍ତି।

 

You might also like