ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ ବିଜେଡି ଭିତରେ ଭିତରେ ଘୁଣ ଖାଇ ଗଲାଣି: ବୈଜୟନ୍ତ

ଭୁବନେଶ୍ୱର : ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁହଁ ଖୋଲି ନଥିଲେ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଥମୁନି। ଗତକାଲି ଜାତୀୟ ପତ୍ରିକା ସ୍ୱରାଜ୍ୟରେ ପ୍ରକାଶିତ ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ ଖୋଲା ମତବ୍ୟକ୍ତ କରିଛନ୍ତି ବୈଜୟନ୍ତ। କ୍ଷମତାକୁ ଆସିବା ଲାଗି ବିଜେଡିର ସଂଘର୍ଷଠୁ ଆରମ୍ଭ କରି ପ୍ୟାରୀଙ୍କ ବିଦ୍ରୋହ, ପାଣ୍ଡିଆନଙ୍କ ଉତ୍ଥାନ, ନବୀନଙ୍କ ଭାବମୂର୍ତ୍ତି ଓ ଦଳର ଭବିଷ୍ୟତ ଉପରେ ସେ ଆଲୋକପାତ କରିଛନ୍ତି।

୨୦୧୨ର ବିବାଦୀୟ ମିଡ୍‌ନାଇଟ୍ ଅପରେସନ୍ କଥା ଉଠାଇ ବୈଜୟନ୍ତ କହିଛନ୍ତି ୧୪ ବର୍ଷ ଧରି ସବୁକିଛି ଠିକ୍ ଚାଲିଥିଲା। ନବୀନଙ୍କ ନେତୃତ୍ୱରେ ଦକ୍ଷତାର ସହ କାମ କରୁଥିଲା ସରକାର। ତେବେ ପ୍ୟାରୀଙ୍କ ବିଦ୍ରୋହ ଥିଲା ଟର୍ଣ୍ଣିଂ ପଏଣ୍ଟ। ଏହି ଘଟଣା ପରେ ବିଦ୍ରୋହରେ ସାମିଲ ନେତାଙ୍କୁ  ଓଲଟା ପୁରସ୍କୃତ କରାଗଲା, ବିଶ୍ୱସ୍ତଙ୍କୁ ଦୂରେଇ ଦିଆଗଲା। ଏହି ସମୟରେ ଜଣେ ଅଧସ୍ତନ ପ୍ରଶାସନିକ ଅଧିକାରୀ ପ୍ରଭାବ ବିସ୍ତାର କରିବାକୁ ଲାଗିଲେ।

୨୦୧୪ ସାଧାରଣ ନିର୍ବାଚନ ଟିକଟ ବଣ୍ଟନ ବୈଠକରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ବସିଥିବା ଦେଖି ସେ ଚକିତ ହୋଇଥିଲେ ବୋଲି କହିଛନ୍ତି ବୈଜୟନ୍ତ। ଏହା ପରଠାରୁ ଦଳ ଓ ସରକାରରେ ବ୍ୟତିକ୍ରମ ଦେଖିବାକୁ ମିଳିଲା। ଦୁର୍ନୀତିକୁ ଆଦୌ ସହ୍ୟ କରୁନଥିବା ନବୀନଙ୍କ ଆଭିମୁଖ୍ୟରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଘଟୁଥିବା ବୈଜୟନ୍ତ କହିଛନ୍ତି।

ଦଳର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରି ବୈଜୟନ୍ତ କହିଛନ୍ତି ଯେ, ବ୍ରାଣ୍ଡ ନବୀନ ଏବେ ବି ବିଜେଡିର ସବୁଠୁ ବଡ଼ ତାକତ୍। ବହୁ ପରିଶ୍ରମ ପରେ ଦଳ ନିଜ ଛବି ତିଆରି କରିଥିଲା। ନବୀନ କେତେକ ନିର୍ଭୀକ ନିଷ୍ପତ୍ତି ନେଇ ଏହାକୁ ଅଧିକ ମଜଭୁତ କରିଥିଲେ। ମାତ୍ର ମାତ୍ରାଧିକ ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ  ବିଜେଡି ଭିତରେ ଭିତରେ ଘୁଣ ଖାଇ ଗଲାଣି ଓ ତୃଣମୂଳସ୍ତରର କର୍ମୀ ଲୋକଙ୍କ ଆସ୍ଥା ହରାଛନ୍ତି।

ବିଜେଡିର ଭବିଷ୍ୟତ ନେଇ ବୈଜୟନ୍ତ କହିଛନ୍ତି ଯେ, ୧୮ ବର୍ଷ ଶାସନରେ ରହିଥିଲେ ମଧ୍ୟ ବିଜେଡିର କ୍ଷୁଧା କମିନାହିଁ। କଳେବଳେ କୌଶଳେ ସଫଳତା ପାଇବାକୁ ଦଳ ଭିତରେ ଏବେବି ଅଦମ୍ୟ ଇଛାଶକ୍ତି ଓ ଭୋକ ରହିଛି। ଏହାର ସମକକ୍ଷ ହେବା ଲାଗି କଂଗ୍ରେସ ଓ ବିଜେପି ସମର୍ଥ ନୁହନ୍ତି। ନିର୍ବାଚନ ପର୍ଯ୍ୟନ୍ତ  ବିଜୁ ଜନତା ଦଳ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ରଖିବ। ତେବେ ନିର୍ବାଚନ ପରେ ନିଜ ଫାଇଦାକୁ ଦେଖି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ ବିଜେଡିର ଦୃଢ଼ ସ୍ଥିତିକୁ ନେଇ ବୈଜୟନ୍ତ କହିଛନ୍ତି, ବିଶ୍ୱସନୀୟ ବିକଳ୍ପ ସାମ୍ନାକୁ ଆସିଲେ ସ୍ଥିତି ବଦଳିପାରେ। ରାଜନୀତିରେ ସପ୍ତାହେ ଯଥେଷ୍ଟ, ନିର୍ବାଚନକୁ ତ ଅନେକ ମାସ ବାକି ଅଛି।

ବିଜେଡି ଛାଡ଼ିବା ପରେ ବୈଜୟନ୍ତ ତାଙ୍କ ପରବର୍ତ୍ତୀ ନିଷ୍ପତ୍ତି ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହି ସାକ୍ଷାତକାର ସେ ଦଳ ଛାଡ଼ିବାର ଠିକ୍ ପୂର୍ବରୁ ଦେଇଥିବା ବେଳେ ଏବେ ଅପେକ୍ଷା ତାଙ୍କର ପରବର୍ତ୍ତୀ ପଦକ୍ଷେପକୁ।

ଆହୁରି ପଢ଼ନ୍ତୁ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

You might also like