ଆଜି ପବିତ୍ର ଜନ୍ମାଷ୍ଟମୀ; ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଉତ୍ସବମୁଖର ସହର
ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।
ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଛି। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୁଏ। ଯେହେତୁ କୃଷ୍ଣ ନିଶାର୍ଦ୍ଧରେ ଜନ୍ମ ହୋଇଥିଲେ ,ତେଣୁ ଏହି ପୂଜା ରାତିରେ ହୁଏ। ରୂପାରେ ନିର୍ମିତ ପଦ୍ମ ପାଖୁଡା ଉପରେ ସୁବର୍ଣ୍ଣ କୃଷ୍ଣ ପ୍ରତିମାଙ୍କୁ ରଖି ଜନ୍ମନୀତି ପାଳନ ହୁଏ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଭୁଜରୁ ଆଜ୍ଞାମାଳ ଆସିବା ପରେ ମଦନ ମୋହନଙ୍କ ଉପସ୍ଥିତିରେ ଦୁଇ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଜନ୍ମନୀତି ସମ୍ପନ୍ନ କରିଥାନ୍ତି। ଜନ୍ମନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ପାଖରେ କ୍ଷୀର ଓ ଗାଣ୍ଡୁଷ ମସଲା ଭୋଗ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପରିସରରେ ଥିବା ନାଭିକଟା ମଣ୍ଡପରେ ମହାପ୍ରଭୁଙ୍କ ନାଭିଛେଦନ ଉତ୍ସବ ସମ୍ପନ୍ନ ହୋଇଥାଏ।