ଜୈନ ମୁନି ତରୁଣ ସାଗରଙ୍କ ପରଲୋକ

ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା।

ଦିଲ୍ଲୀର ରାଧାପୁରୀ ଜୈନ ମନ୍ଦିରରେ ଆଜି ଭୋର୍‌ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍‌ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଜୈନ ମୁନି ତରୁଣ ସାଗରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନରେ ଉତ୍ତରପ୍ରଦେଶ ମୁରଦ୍‌ନଗରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ନିଜର ପ୍ରବଚନ ଶୈଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଦେଶର ଅନେକ ବିଧାନସଭାରେ ସେ ପ୍ରବଚନ ଦେଇଛନ୍ତି। ହରିଆଣା ବିଧାନସଭାରେ ତାଙ୍କ ପ୍ରବଚନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ସେ ୧୯୬୭ ମସିହା  ଜୁନ୍‌ ୨୬ ତାରିଖରେ ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାଁ ହେଉଛି ପୱନ କୁମାର ଜୈନ।  ସେ ୧୯୮୧ ମସିହା ମାର୍ଚ୍ଚ ୮ ତାରିଖରେ ଗୃହତ୍ୟାଗ କରିଥିଲେ।

You might also like