ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?

ଭୁବନେଶ୍ୱର : ବିଜେଡିରେ ବବି ଏ ଟୁ ଜେଡ୍। ବବି ନେକ୍ସଟ ଟୁ ପି। ବୈଜୟନ୍ତଙ୍କ କ୍ୟାମ୍ପ ଛାଡିଥିବା ଦେବାଶିଷ ମଲ୍ଲିକ ଓ ଅନୁଗତ ସଲିମ୍ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍ ବାହାରକୁ ଆସିବାପରେ ବିଜେଡିରେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ଭୂମିକା କଣ ତାର ଗୁମର ବି ଖୋଲିଥିବା ଚର୍ଚ୍ଚା ହେଉଛି।

ଅଡିଓ ଟେପ୍ ଅନୁଯାୟୀ, ବୈଜୟନ୍ତ ହୁଅନ୍ତୁ କି ଆଉ କିଏ, ବିଜେଡିରେ ଚାଲିଥିବା ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ହେଉଛନ୍ତି ବବି-ପାଣ୍ଡିଆନ୍ ଅର୍ଥାତ୍ ପ୍ଲାନ ପାଣ୍ଡିଆନଙ୍କର ଆଉ କାର୍ଯ୍ୟକାରୀ କରିବା କାମ ବବିଙ୍କର। ତେଣିକି କୌଣସି ବିବାଦରେ ମଧ୍ୟସ୍ଥତା ହେଉ କି କାହା ବିରୋଧରେ ଲାଗିବା ହେଉ। କିଛି ଦିନ ପୂର୍ବରୁ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତ ଲେଖିଥିବା ଅନର୍ଥର ଅନ୍ତରାଳେ ଆର୍ଟିକିଲରେ ବି ଏହାର ଆଭାସ ରହିଥିଲା।

ଏବେ ଚର୍ଚ୍ଚା ହେଉଛି, ଦାମ ତାଙ୍କ ଆର୍ଟିକିଲରେ ଯେଉଁ ଯୁବନେତାଙ୍କ ଯୋଗୁଁ ସେ ବିଦା ହୋଇଥିବା ଲେଖିଛନ୍ତି, ସେଥିରୁ ବବି ଅନ୍ୟତମ ନୁହେଁ ତ?

ପାଣ୍ଡିଆନଙ୍କ ପରେ ବବି, ବିଜେଡି ରାଜନୀତିରେ ସାମ୍ନାକୁ ଆସିଥିବା ଏହି ନୂଆଯୋଡ଼ି ଏବେ ବେଶ ପାଓ୍ୱରଫୁଲ୍ ବୋଲି ଚର୍ଚ୍ଚା ହେଉଛି। ସବୁବେଳେ ପାଣ୍ଡିଆନଙ୍କର ପାଖେପାଖେ ରହି ନିଜକୁ କ୍ଷମତାଶାଳୀ ପ୍ରତିପାଦିତ କରୁଛନ୍ତି ବବି। ଗତବର୍ଷ ମନ୍ତ୍ରୀମଣ୍ଡଳରୁ ବିବାଦ ହେବା ପରେ ସବୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବବିଙ୍କୁ ଦେଖିବାକୁ ମିଳୁଛି। ତେବେ ପ୍ରଶ୍ନ ବିଜେଡିରେ ବରିଷ୍ଠ ଓ ଅଭିଜ୍ଞ ନେତା ଥାଉ ଥାଉ ବବି-ପାଣ୍ଡିଆନଙ୍କ କାର୍ଯ୍ୟ ଦଳରେ କନ୍ଦଳ ସୃଷ୍ଟି କରୁ ନାହିଁ କି? ଏମାନଙ୍କ କାର୍ଯ୍ୟ ବିଜେଡି ଛବିକୁ ବିଗାଡୁଛି ନା ସୁଧାରୁଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏସବୁ ବିଜେଡି ସୁପ୍ରିମୋଙ୍କ ଜାଣତରେ ଚାଲିଛି ନା ନାହିଁ ?

ବୈଜୟନ୍ତ ବିରୋଧୀ ଷଡ଼ଯନ୍ତ୍ର ଭିତରେ ପଦାକୁ ଆସିଥିବା ଅଡିଓ ଟେପ୍ ରାଜ୍ୟ ରାଜନୀତିର ଅନେକ ଗୁମର ଖୋଲିଛି, ତେବେ ଆଗାମୀ ଦିନରେ ଏହାର ପ୍ରଭାବ କଣ ପଡୁଛି, ଦେଖିବାକୁ ବାକି ରହିଲା।

ଦେଖନ୍ତୁ ଏହି ଭିଡ଼ିଓ-

ଆହୁରି ପଢ଼ନ୍ତୁ

You might also like