ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର

ଭୁବନେଶ୍ୱର : ବିରୋଧର ସ୍ୱରକୁ ଚାପି ଦେବାର ପ୍ରୟାସ। ଗ୍ରାମସଭାରେ ତ ଅସନ୍ତୋଷ ଜଣାଇ ପାରିଲେନି, ଗଣମାଧ୍ୟମ ସାମ୍ନାରେ ବି ନିଜ ମତ ରଖିବାକୁ ଯାଉଥିବା ଏ ବ୍ୟକ୍ତିଙ୍କୁ ଧକ୍କା ଦେଇ ଭଗାଇ ଦିଆଯାଉଛି। କହିବାର ବି ସୁଯୋଗ ମିଳୁନି।

କିସ୍ ପାଇଁ ଜଙ୍ଗଲ ଜମି କିସମ ପରିବର୍ତ୍ତନ ଲାଗି ଆଜି ଭୁବନେଶ୍ୱର କିଟ୍ ନିକଟ ପଥରଗାଡ଼ିଆ ଗ୍ରାମସଭାର ଦୃଶ୍ୟ ଥିଲା ଏମିତି। ଅଭିଯୋଗ ଅନୁଯାୟୀ, ଏ ଗ୍ରାମସଭାରେ ପଥରଗାଡ଼ିଆ ବାସିନ୍ଦା କମ୍, ବେଶି ବସିଥିଲେ କିଟ୍ ଓ କିସ୍‌ର ଛାତ୍ର ଛାତ୍ରୀ। ଯିଏ ବି ବିରୋଧରେ କହିବାକୁ ଚାହୁଁଥିଲା ତାଙ୍କୁ କୁହାଇ ଦିଆଯାଉ ନଥିଲା। ପୂର୍ବ ପ୍ରସ୍ତୁତି ସହ ଘେରି ରହିଥିଲେ କିଟ୍ ଓ କିସ୍ ସମର୍ଥିତ ବ୍ୟକ୍ତି। ତା ଭିତରେ ବି ଶୁଭିଥିଲା ବିରୋଧର ସ୍ୱର।

ପଥରଗାଡ଼ିଆରେ ଥିବା ଛୋଟ ଜଙ୍ଗଲ କିସମର ୧୦ ଏକର ଜମିକୁ ଶହ ଶହ ବର୍ଷ ଧରି ଜଙ୍ଗଲ ଜମିର ମାନ୍ୟତା ଦିଆଯାଇ ଆସିଥିବା ବେଳେ ଏବେ ତା ଉପରେ ପଡ଼ିଛି କିସ୍‌ର ନଜର। ଏଇ ଜମିକୁ କିସମ ପରିବର୍ତ୍ତନ କରି ନିଜ ନାଁକୁ ନେବା ଲାଗି ଆଜି ହୋଇଥିଲା ଏଇ ଗ୍ରାମସଭା। ତେବେ ଗ୍ରାମସଭାର ମତକୁ ନିଜ ସପକ୍ଷରେ ନେବାକୁ କିଟ୍ ଓ କିସ୍ ପିଲାଙ୍କୁ ଭରପୁର ଉପଯୋଗ କରାଯାଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ବଦଳରେ ବସିଥିଲେ ରାଜ୍ୟର ବିଭିନ୍ନ ଆଡୁ ଆସି ଏଠି ପାଠ ପଢୁଥିବା ଶହ ଶହ ଛାତ୍ରଛାତ୍ରୀ।

ଏପରିକି ଗ୍ରାମସଭାରେ ଯୋଗ ଦେଇଥିବା ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟ କିଟ୍‌କୁ ଜମି ପ୍ରଦାନର ବିରୋଧ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଶହ ଶହ ବର୍ଷ ଧରି ଗାଁ ମୁଣ୍ଡରେ ଥିବା ଜଙ୍ଗଲ ଜମିକୁ ଏକ ଘରୋଇ ଅନୁଷ୍ଠାନକୁ ଟେକି ଦିଆଯିବା କେତେଦୂର ଠିକ୍। ଏଇ ଜମି ପ୍ରତିବଦଳରେ ପଥରଗାଡ଼ିଆ ଠାରୁ ପ୍ରାୟ ୧୦ କିଲୋମିଟର ଦୂର କୁଜିମହଲ ଠାରେ ଦେବା ପାଇଁ ଥିବା ଜମି ପଥରଗାଡ଼ିଆ ବାସିନ୍ଦାଙ୍କ କାମରେ କେମିତି ଆସିବ?

ଆଇନ୍‌କୁ ଆଖିଠାର ମାରିବା ପାଇଁ କରାଯାଇଥିବା ଏ ପ୍ରାୟୋଜିତ ଗ୍ରାମସଭାକୁ ନେଇ ଅସନ୍ତୋଷ ତେଜୁଛି। ତେବେ ଏନେଇ କିସ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

You might also like