ଗୋଲ୍ଡ ସ୍ମଗ୍‌ଲିଂର ଭୂସ୍ୱର୍ଗ ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର : ବିଦେଶୀ ସୁନା ଓ ମୁଦ୍ରା ଚୋରା କାରବାରର ଭୂସ୍ୱର୍ଗ ପାଲଟିବାକୁ ବସିଲାଣି କି ରାଜ୍ୟ ରାଜଧାନୀ ଭୁବନେଶ୍ୱର ? ଏହି ଚୋରା କାରବାର ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଗଳାବାଟ ଭାବେ ବ୍ୟବହାର କରାଯାଉଛି କି ? କାରଣ ଥରେ କି ଦୁଇ ଥର ନୁହେଁ, ଗତ ପ୍ରାୟ ୬ ମାସ ହେଲାଣି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଏବଂ ମୁଦ୍ରା। ଦୁବାଇରୁ ଆସିଥିବା ଯାତ୍ରୀଙ୍କଠୁ ଆଜି ଜବତ ହୋଇଛି ୧୧ଶହ ୪୩ ଦଶମିକ ୭୮ ଗ୍ରାମ୍ ଓଜନର ଏହି ସୁନା ବିସ୍କୁଟ। ବ୍ୟାଙ୍କକ୍‌ ଭାୟା କ୍ୱାଲାଲମ୍ପୁର ଦେଇ ଭୁବନେଶ୍ୱର ଆସୁଥିବାବେଳେ କଷ୍ଟମ ବିଭାଗ ହାତରେ ଧରାପଡ଼ିଛନ୍ତି ପଞ୍ଜାବର ୨ ଅଭିଯୁକ୍ତ।

ତେବେ ବିମାନବନ୍ଦର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଯେଉଁ ତରିକାରେ ଏମାନେ ସୁନା ବିସ୍କୁଟ ଚୋରାଚାଲାଣ କରୁଥିଲେ, ତାହା ସବୁଠୁ ଚାଞ୍ଚଲ୍ୟକର। ଏହି ଦୁଇ ଚୋରାଚାଲାଣକାରୀ ମଳଦ୍ୱାରରେ ସୁନାକୁ ଲୁଚାଇ କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଆସୁଥିଲେ। ଯନ୍ତ୍ରଣାରୁ ରକ୍ଷା ପାଇଁ କ୍ୱାଲାଲମ୍ପୁରରେ ପେନ୍‌କିଲର୍ ଇଞ୍ଜେକସନ୍ ବି ନେଇଥିଲେ। ଯାହା ୩ଘଣ୍ଟା ପର୍ଯ୍ୟନ୍ତ କାମ କରିଥାନ୍ତା।

କିନ୍ତୁ ଦୁର୍ଭାଗ୍ୟ, ବିମାନଟି ଭୁବନେଶ୍ୱରରେ ବିଳମ୍ବରେ ପହଞ୍ଚିଥିବାରୁ ମଳଦ୍ୱାରରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା। ଯନ୍ତ୍ରଣା ଯୋଗୁଁ ଏମାନଙ୍କର ଅସ୍ୱାଭାବିକ ଗତିବିଧିକୁ ଦେଖି ଭୁବନେଶ୍ୱର ବିମାନ ବନ୍ଦର ସୁରକ୍ଷା କର୍ମୀଙ୍କ ସନ୍ଦେହ ବଢ଼ିଯାଇଥିଲା। ସେହିପରି ଏହି ଦୁଇ ଅଭିଯୁକ୍ତଙ୍କ ପାଖରେ ପଞ୍ଜାବର ପାସପୋର୍ଟ ଥିବାବେଳେ ଏମାନେ ଭୁବନେଶ୍ୱରରେ ଓହ୍ଲାଇଥିବାରୁ କଷ୍ଟମ ବିଭାଗର ସନ୍ଦେହ ଆହୁରି ଦୃଢୀଭୁତ ହେଲା। ଶେଷରେ ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ଚୋରାଚାଲାଣ ତରିକାର ସାଂଘାତିକ ସତ।

କେବଳ ଏହି ଗୋଟିଏ ଘଟଣା ନୁହଁ, ଗତକାଲି ଧରାପଡ଼ିଥିବା ଅନ୍ୟ ୨ଜଣ ଚୋରାଚାଲାଣକାରୀ ମଧ୍ୟ ୩ଟି ସୁନା ଖଣ୍ଡକୁ ମଳଦ୍ୱାରରେ ଲୁଚାଇ ଆଣୁଥିବାବେଳେ ଧରାପଡ଼ିଥିଲେ। ଏମାନେ ବି ବ୍ୟାଙ୍କକରୁ ଏୟାର ଏସିଆ ବିମାନରେ ଭୁବନେଶ୍ୱର ଆସିଥିଲେ।  ଗତ ନଭେମ୍ବର ୧୩ ତାରିଖରେ ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡିଥିଲା ୩୩ ଖଣ୍ଡ ସୁନା।

ଚଳିତ ମାସ ୫ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୪ ଖଣ୍ଡ ସୁନା ବିସ୍କୁଟ ଏବଂ ୬ ତାରିଖରେ ଜଣେ ଭାରତୀୟ ବଂଶୋଦ୍ଭଙ୍କଠାରୁ ଜବତ ହୋଇଥିଲା ୬ଶହ ଗ୍ରାମରୁ ଅଧିକ ସୁନା। ତେବେ ଏଭଳି ବେଆଇନ୍ ସୁନା କାରବାର ପଛରେ କାହାର ରହିଛି ହାତ ? ଭୁବନେଶ୍ୱର ବିମାନ ବନ୍ଦରରୁ କେଉଁ ଅଞ୍ଚଳକୁ ଯାଉଛି ଏହି ବିଦେଶୀ ସୁନା ?

You might also like