ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନରେ ସାମିଲ ହେଲା ପୁଲିସ ବାବୁଙ୍କ ଭାଇ

ନୂଆଦିଲ୍ଲୀ: ବଡ଼ ଭାଇ ପାଠ ପଢ଼ି ହେଲା ଆଇପିଏସ, କିନ୍ତୁ ସାନ ଭାଇ ଅଧାରୁ ଡାକ୍ତରୀ ପାଠ ଛାଡ଼ି ବନିଲା ଆତଙ୍କବାଦୀ। ଏମିତି ଏକ ଖବର ଆଜି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଜାମ୍ମୁ ଓ କାଶ୍ମୀରର ୨୦୧୨ ବ୍ୟାଚ୍‌ ଆଇପିଏସ ଅଫିସର ଇନାମୁଲ ହକ୍‌ ଭାଇ ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ଆତଙ୍କବାଦୀ ସାଜିଥିବା ୨୫ ବର୍ଷ ବୟସର ଏହି ଯୁବକ ଜଣଙ୍କ ହେଉଛନ୍ତି ସାମ୍‌ସୁଲ ହକ୍‌ ମେଂଗ୍‌ନୁ। ସାମ୍‌ସୁଲ ଗତ ମେ ୨୨ରୁ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଗତ ମେ ୨୨ ତାରିଖରୁ କେଉଁଆଡ଼େ ନିଖୋଜ ହୋଇଯାଥିଲେ । କାଶ୍ମୀର ବିଶ୍ୱବିଦ୍ୟାଳୟରେ ବ୍ୟାଚଲର ଅଫ୍ ୟୁନାନି ମେଡିସିନ୍‌ ଆଣ୍ଡ ସର୍ଜରୀ ବିଭାଗରେ ଅଧ୍ୟୟନ କରୁଥିବା ସାମ୍‌ସୁଲ ଅଧାରୁ ଡାକ୍ତରୀ ପାଠ ପଢ଼ା ଛାଡ଼ିଥିଲେ। ତେବେ ସେ ଏକ ରାଇଫଲ ଧରିଥିବା ଫଟୋ ଭାଇରାଲ ହେବା ପରେ ସେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ସ୍ପଷ୍ଟ ହୋଇଛି।
ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁର ବର୍ଷ ପୂର୍ତ୍ତି ଅବସରରେ ପାଖାପାଖି ଡଜନେରୁ ଅଧିକ ଆତଙ୍କବାଦୀ ନିଯୁକ୍ତି ଦିଆଯାଇଥିବା ହିଜ୍‌ବୁଲ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ରବିବାର ଭାଇରାଲ କରାଯାଇଛି । ସାମସୁଲକୁ ହିଜବୁଲର ସାଂଗଠନିକ ନାମ ବା କୋଡ୍‌ନେମ୍‌ ବୁରହାନ୍ ସାନି ନାମରେ ପରିଚୟ ଦିଆଯାଇଥିବା ଉକ୍ତ ଫଟୋରୁ ଜଣାପଡୁଛି। ସାମ୍‌ସୁଲର ଘର ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ଡ୍ରାଗୁଡ୍‌ ଗାଁରେ । ଗତ ମେ ୨୨ରୁ ସାମ୍‌ସୁଲ୍‌ ନିଖୋଜ୍‌ ହେବା ପରେ ପରିବାର ପକ୍ଷରୁ ଥାନାରେ ଏକ ଅଭିଯୋଗ କରାଯାଇଥିଲା।
ଚଳିତ ବର୍ଷ ୫୦ରୁ ଅଧିକ ଯୁବକ ଆତଙ୍କୀ ସଂଗଠନରେ ସାମିଲ ହୋଇଛନ୍ତି । ଗତ ଦୁଇ ବର୍ଷ ହେଲାଣି ଆତଙ୍କୀ ସଂଗଠନରେ କାଶ୍ମୀରି ଯୁବକଙ୍କ ସଂଖ୍ୟା ବଢ଼ିଛି । ଶିକ୍ଷିତ ଯୁବକମାନେ ଉଦ୍‌ଭ୍ରାନ୍ତ ହୋଇ ସାମାଜିକ ମୁଖ୍ୟସ୍ରୋତରୁ ଦୂରେଇଯିବା ଓ ଆତଙ୍କୀ ସଂଗଠନରେ ସାମିଲ ହେବା ଚିନ୍ତାର ବିଷୟ ହୋଇଛି ।

You might also like