ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ

ଭଦ୍ରକ : ଆସନ୍ତାକାଲି ରାମନବମୀ। ତା’ପୂର୍ବରୁ ଆଜି ଭଦ୍ରକରେ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପାଇଁ ସହରରେ ବନ୍ଦ କରିଦିଆଯାଇଛି। ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦଭାବ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଏସ୍‌ପି ଅନୁପ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ସେପଟେ ରାମ ନବମୀ ଉତ୍ସବରେ ନଗର ସଂକୀର୍ତ୍ତନ ଓ ମେଢ଼ ଶୋଭାଯାତ୍ରା ପୂର୍ବରୁ ପୋଲିସ୍ ଛାଉଣୀରେ ପରିଣତ ହୋଇଛି ଭଦ୍ରକ ସହର।

ରାମ ନାମ ସଂକୀର୍ତ୍ତନରେ କମ୍ପୁଛି ଭଦ୍ରକର ଗାନ୍ଧି ପଡିଆ। ଉତ୍ସବସ୍ଥଳରେ ଏକାଠି ହୋଇ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ଗାୟନ କରୁଛନ୍ତି ଦୂର ଦୂରାନ୍ତରୁ ଆସିଥିବା ସାଧୁ, ସନ୍ଥ ଓ ସଂକୀର୍ତ୍ତନ ଦଳ। ଭଦ୍ରକର ପ୍ରସିଦ୍ଧ ରାମନବମୀ ଉତ୍ସବର ଷଷ୍ଠ ଦିନରେ ଆଜି ଦିନ ତମାମ ଲାଗି ରହିଥିଲା ଏଭଳି ଆଧ୍ୟାତ୍ମିକ ପରିବେଶ। ପୁରୀରୁ ଆସିଥିବା ବ୍ରାହ୍ମଣମାନେ ପାଠ କରିଥିଲେ ଅଖଣ୍ଡ ହନୁମାନ ଚାଳିଶା। ନାମଯଜ୍ଞରେ ବହୁ ସଂଖ୍ୟାରେ ସାଧାରଣ ଲୋକ ବି ସାମିଲ ହୋଇଥିଲେ। ଏଯାଏଁ ଉତ୍ସବ ବେଶ ସୁରୁଖୁରରେ ଚାଲିଛି। ତେଣୁ ଆସନ୍ତାକାଲି ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନଗର ସଂକୀର୍ତ୍ତନ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ କରାଇବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛି ଶ୍ରୀରାମ ମହାଯଜ୍ଞ ସମିତି।

ଆସନ୍ତାକାଲି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଓ ୫୦ରୁ ଅଧିକ ମେଢ଼ ସାମିଲ ହେବେ। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହୋଇଛି ଭଦ୍ରକ ସହର ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ୪ ଜଣ କମାଣ୍ଡାଣ୍ଟ୍ ଓ ୭୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସେପଟେ ସୋସିଆଲ ମିଡିଆରେ ଯେଭଳି କୌଣସି ଗୁଜବ ପ୍ରଚାର ନହୁଏ ସେଥିପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲକୁ ବି କାମରେ ଲଗାଯାଇଛି।

ଚଳିତ ବର୍ଷ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ଉତ୍ସବ ଆୟୋଜନର ଗୋଟିଏ ଦିନ ପୂର୍ବରୁ ସହରରେ କୌଣସି ଶୋଭାଯାତ୍ରା ଆୟୋଜନ ଉପରେ କଟକଣା ସହ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟ୍‌କୁ ନେଇ ଲାଗିଥିବା କଟକଣା ହଟିବାରୁ ଗତକାଲି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

You might also like