ଯୋଗମୁଦ୍ରାରେ ମଜ୍ଜିଲା ସାରା ବିଶ୍ୱ

ଭୁବନେଶ୍ୱର : ଯୋଗ ମୁଦ୍ରାରେ ସାରା ବିଶ୍ୱ। ନଥିଲା ବୟସ କି ବର୍ଗର ଫରକ୍। କିଏ ଶିଖୁଥିଲା ତ କିଏ ଶିଖାଉଥିଲା ସୁସ୍ଥ ଓ ନିରୋଗ ରହିବାର ଏ ମହାନ ପ୍ରାଚୀନ କଳା। ଡେରାଡୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସହ ଭିନ୍ନ ଭିନ୍ନ ଯୋଗ ମୁଦ୍ରାରେ ନିମଗ୍ନ ହେବା ସହ ବଖାଣିଥିଲେ ଯୋଗର ମାହାତ୍ମ୍ୟ।

ସେହିପରି ଯୋଗଗୁରୁ ରାମଦେବ ରାଜସ୍ଥାନ କୋଟାରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଶିଖାଇଥିଲେ ଭିନ୍ନ ଭିନ୍ନ ପ୍ରକାର ଯୋଗ କୌଶଳ। ଯାହାକି ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି।  ହିମ ପାହାଡ଼ ଲଦାଖରେ ୧୮ ହଜାର ଫୁଟ୍ ଉଚ୍ଚରେ ଯୋଗ କରିଥିଲେ ITBP ଯବାନ। ନୌସେନାର ଯୁଦ୍ଧ ଜାହାଜରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଯୋଗ ଶିବିର। ମୁମ୍ବାଇରେ ବଲିଉଡ ଅଭିନେତା ନାନା ପାଟ୍ଟେକରଙ୍କ ସହ ଯୋଗ ଶିବିରରେ ସାମିଲ ହୋଇଥିଲେ ଆହୁରି ଅନେକ ସେଲିବ୍ରିଟି। କାରବୀୟ ଦେଶ ସୁରିନେମ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ସେଠାକାର ରାଷ୍ଟ୍ରପତିଙ୍କ ସହ ମିଶି ପାଳନ କରିଛନ୍ତି ଯୋଗ ଦିବସ।

ଓଡ଼ିଶାରେ ବି କିଛି କମ୍ ନଥିଲା ଆନ୍ତର୍ଜାତିକ ଯୋଗ ଦିବସର କ୍ରେଜ୍। ରାଜଧାନୀର କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଶିବିରରେ ସାମିଲ ହୋଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ମାନବିକ ମୂଲ୍ୟବୋଧ ସମ୍ଭବ ହେବ ବୋଲି କହିଥିଲେ ଗଜପତି। କଟକରୁ କୋରାପୁଟ, ପୁରୀରୁ ରାଉରକେଲା , ରାଜ୍ୟର କୋଣ ଅନୁକୋଣରେ ଯୋଗାସନ କରିଛନ୍ତି ଲକ୍ଷ ଲକ୍ଷ ଲୋକ। ଭୁବନେଶ୍ୱର ସିଆରପିଏଫ୍ ଗ୍ରାଉଣ୍ଡରେ ଆୟୋଜିତ ଶିବିରରେ ବିଭିନ୍ନ ପାରାମିଲିଟାରୀ ଫୋର୍ସ ଜବାନଙ୍କ ସହ ସେମାନଙ୍କ ପରିବାର ବର୍ଗ ଓ ଓଲିଉଡ଼ କଳାକାର ହୋଇଥିଲେ ସାମିଲ।

ପ୍ୟାରିସର ଆଇଫେଲ୍ ଟାଓ୍ୱାର, ଇଜିପ୍ଟର ପିରାମିଡ୍ ଓ ସ୍ୱିଜରଲ୍ୟାଣ୍ଡର ଆଲପ୍‌ସ ପର୍ବତମାଳାର ପାଦଦେଶରେ ବି ହୋଇଥିବା ଯୋଗାଭ୍ୟାସ। ସେହିଭଳି ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ବାଲୁକା କଳାରେ ଦେଇଛନ୍ତି ଯୋଗର ବାର୍ତ୍ତା।

You might also like