ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ଭୁବନେଶ୍ୱର: ମାଆ ହୋଇ ସେ ବାତ୍ସଲ୍ୟ ସ୍ନେହ ଅଜାଡ଼ି ଦିଏ ତ ପତ୍ନୀ ରୂପରେ ଜୀବନରେ ପ୍ରେମର ଫଲଗୁ ଆଣେ। ଘରର ଚାରିକାନ୍ଥ ବାହାରେ ବି ସେ ନିଜ ଦକ୍ଷତାର ପ୍ରମାଣ ଦେଖାଇପାରିଛି।
କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ନିଜ ଚତୁର୍ପାର୍ଶ୍ୱକୁ କେବେ ସମୃଦ୍ଧି, କେବେ ଶକ୍ତି, କେବେ ଜ୍ଞାନ, କେବେ ବଳ ତ ଆଉ କେବେ ବିଜୟ ଲାଗି ସେ ପୂଜା ପାଇଥାଏ। ପୁରୁଷ କୈନ୍ଦ୍ରିକ ସମାଜ ସହ ତାଳ ଦେଇ ନାରୀ ବି ସମାଜରେ ସୃଷ୍ଟି କରିଛି ନିଜର ସ୍ବତନ୍ତ୍ର ପରିଚୟ। ଆଉ ପ୍ରମାଣ କରିଛି ସେ ଅବଳା କି ଦୁର୍ବଳା ନୁହେଁ ।ବିଶ୍ୱ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା କିଛି ସଫଳ ମହିଳାଙ୍କ ବିଷୟରେ…..
କେନ୍ଦୁଝର ଜିଲ୍ଲା ଟିକରପଡ଼ାର ସୁଲୋଚନା ବେହେରା। ୧୦ ବର୍ଷ ତଳେ ସ୍ୱାମୀ ତାଙ୍କୁ ଏକାକରି ଆରପାରିକୁ ଚାଲିଗଲେ। ହେଲେ କୌଣସି ବାଧା ବିଘ୍ନରେ ସେ ଭାଙ୍ଗି ନ ପଡି ନିଜ ଗୋଡରେ ଛିଡା ହୋଇପାରିଛନ୍ତି ସୁଲୋଚନା। ଦୁଇ ଛୁଆଙ୍କୁ ମଣିଷ କରିବା ପାଇଁ କାନ୍ଧରେ ଲଙ୍ଗଳ, କୋଦାଳ ଧରି କ୍ଷେତରେ ସୁନାର ଫସଲ ଫୁଟାଉଛନ୍ତି। ଖାଲି ସେତିକି ନୁହେଁ, ଉନ୍ନତ ପ୍ରଣାଳୀରେ ଚାଷ ପାଇଁ ସେ ପାଇଛନ୍ତି କୃଷକ ବନ୍ଧୁ ସମ୍ମାନ।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଗୀତବାହାଡ଼ିର ସଫଳ ମହିଳା ବ୍ୟବସାୟୀ ହେଲେ ଶାସ୍ତ୍ରୀ ଷଣ୍ଢ। ବିବାହ ବିଚ୍ଛେଦ ପରେ ବାପଘର ଉପରେ ବୋଝ ନହୋଇ ସେ ସେମାନଙ୍କ ସାହାରା ପାଲଟିଛନ୍ତି। ମାତ୍ର ୨୦୦ ଟଙ୍କାରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ଏତେ ସଫଳ ହୋଇଛି ଯେ ସେ ପରିବାରର ୭ଜଣଙ୍କ ଦାୟିତ୍ୱ ସମ୍ଭାଳୁଛନ୍ତି। ଏହା ସମ୍ଭବ ହୋଇଛି ତାଙ୍କର ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ।
କେତେ ବାଧା ବିଘ୍ନକୁ ସାହସର ସହ ସାମ୍ନା କରିପାରେ ନାରୀ? ଏହାର ଉତ୍ତର ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରଞ୍ଜୁଲତା ପ୍ରଧାନ। ଦିବ୍ୟାଙ୍ଗ ହୋଇବି ଦୃଢ଼ ଇଚ୍ଛାଶକ୍ତି ଓ କିଛି କରି ଦେଖାଇବାର ଜିଦ୍ ତାଙ୍କୁ ଆଜି ଆତ୍ମନିର୍ଭରଶୀଳ କରିପାରିଛି। ସେ ଧୂପକାଠି ତିଆରି କରି ମାସକୁ ୨୦ହଜାର ଟଙ୍କା ରୋଜଗାର କରୁଛନ୍ତି। ଯାହାକି ଜଣେ ଦିବ୍ୟାଙ୍ଗଙ୍କ ପାଇଁ ସାଧାରଣ କଥା ନୁହେଁ।
ନିଜ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ଏଭଳି ଅନନ୍ୟାମାନଙ୍କୁ ବିଶ୍ୱ ମହିଳା ଦିବସରେ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।