ଭେଟନ୍ତୁ ‘ସ୍ୱଚ୍ଛତା ଅଭିଯାନ’ର ସବୁଠୁ ବୟସ୍କା ବିନ୍ଧାଣୀଙ୍କୁ
ଶ୍ରୀନଗର: ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆମ ଦେଶର ଗାଁ ଗହଳିରେ ସ୍ୱଚ୍ଛତା ସାତ ସପନ। ଏବେ ବି ଖୋଲା ପଡ଼ିଆ, ରାସ୍ତାର ଦୁଇ କଡ଼େ, ରେଳ ଲାଇନ୍ରେ ଲୋକେ ଶୌଚ କରୁଛନ୍ତି। ହେଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଉଦ୍ଧମପୁରର ଜଣେ ବୃଦ୍ଧାଙ୍କର ଉଦ୍ୟମ ଏକ ନୂଆ ଆଶା ସୃଷ୍ଟି କରିଛି। ତାଙ୍କ ନାଁ ହେଉଛି ରାକ୍ଷୀ। ୮୭ ବର୍ଷର ଏହି ବୃଦ୍ଧା ନିଜ ହାତରେ ତିଆରି କରିଛନ୍ତି ଶୌଚାଳୟ।
ସ୍ୱଚ୍ଛତା ମନ୍ତ୍ରରେ ଉଦବୁଦ୍ଧ ହୋଇ ମାଟି ଚକଟି ନିଜେ ଇଟାରେ ଇଟା ଖଞ୍ଜି ତିଆରି କରିଛନ୍ତି ପାଇଖାନା। କାରଣ ଶୌଚ ପାଇଁ ତାଙ୍କ ନାତି ନାତୁଣୀ ବାହାରକୁ ନ ଯାଆନ୍ତୁ ବୋଲି ରାକ୍ଷୀ ଚାହାଁନ୍ତି। ପରିଣତ ବୟସରେ ବି ସେ ଦେଶକୁ ସ୍ୱଚ୍ଛ କରିବାରେ ଲାଗିପଡ଼ିଛନ୍ତି। ସ୍ୱଚ୍ଛ ଭାରତ ଓ ଶୌଚାଳୟ ନିର୍ମାଣରେ ସେ ଅନନ୍ୟ ଉଦାହରଣ ପାଲଟିଛନ୍ତି।
ଖବର ଅନୁସାରେ ସ୍ୱଚ୍ଛତାକୁ ନେଇ ଏହି ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର କରାଯାଇଥିଲା। ଏହି ଶିବିରରେ ଯୋଗ ଦେବା ପରେ ଶୌଚାଳୟ ନିର୍ମାଣ ଲାଗି ରାକ୍ଷୀ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପରିବାରରୁ ମଧ୍ୟ ସମର୍ଥନ ମିଳିଥିଲା। ବୟସର ସାୟାହ୍ନରେ ରାକ୍ଷୀଙ୍କର ଏଭଳି ଉଦ୍ୟମକୁ ଚାରିଆଡ଼ୁ ଭୁରି ଭୁରି ପ୍ରଶଂସା କରାଯାଇଛି। ସେ ଏବେ ସ୍ଥାନୀୟ ଅଞ୍ଚଳରେ ଆଦର୍ଶ ପାଲଟିଛନ୍ତି ରାକ୍ଷୀ।