ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେଡି ଘର କଳି

ଭୁବନେଶ୍ୱର : କର୍ମୀ ସମ୍ମିଳନୀରେ ନେତାଙ୍କୁ ଖୋଲାଖୋଲି ବିରୋଧ। ସାଂସଦଙ୍କ ବିରୋଧରେ କର୍ମୀଙ୍କ  ସ୍ଲୋଗାନ। ବାଲେଶ୍ୱର ବାଲିଆପାଳ ବ୍ଲକ୍ ବୋଳଂରେ ଚାଲିଥିବା ବିଜେଡି କର୍ମୀ ସମ୍ମିଳନୀରେ, କଂଗ୍ରେସରୁ ଆସି ବିଜେଡିର ଟିକେଟରେ ସାଂସଦ ହୋଇଥିବା ରବୀନ୍ଦ୍ର ଜେନା ଜିଲାର ପୁରୁଣା ବିଜେଡି କର୍ମୀଙ୍କୁ ମୂଳୋତ୍ପାଟନ କରୁଥିବା ଅଭିଯୋଗ ହୋଇଛି।

ତେବେ କେବଳ ବାଲେଶ୍ୱର ନୁହେଁ, ଆଠଗଡ଼,  ବଲାଙ୍ଗିର ହେଉ କି କୋରାପୁଟ,ଗଲା କିଛି ଦିନ ହେଲା ସବୁଠି ପଦାରେ ପଡିଛି ବିଜେଡିର ଘର କଳି। ଆଠଗଡ଼ରେ ପୋଷ୍ଟର ବ୍ୟାନର ଧରି ବିଧାୟକଙ୍କ ବିରୋଧରେ ମେଳି କରିଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ବଲାଙ୍ଗିରରେ କିଛି ଦିନ ହେବ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ମନୋମାଳିନ୍ୟ ବଢ଼ିବାରେ ଲାଗିଛି। ଉଭୟ ଗୋଷ୍ଠୀ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି।

ସାଂସଦ, ବିଧାୟକ ଓ ସେମାନଙ୍କ ପ୍ରତିନିଧି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗକୁ ନେଇ ବିଜେଡିରେ ତେଜୁଛି ଅସନ୍ତୋଷ। ଖାସ୍ କରି ଟିକଟ ଆଶାରେ ଥିବା ନେତା ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କୁ ଖୋଲୋଖୋଲି ବିରୋଧ ଆରମ୍ଭ କରିଦେଇଛନ୍ତି। ଦଳୀୟ କନ୍ଦଳ ହିଁ ବିଜେଡିର ୧୮ ବର୍ଷର ଶାସନ ଗାଦିକୁ ଦୋହଲାଇବ ବୋଲି ଚର୍ଚ୍ଚା ହେଉଛି। ତେବେ ଦଳୀୟ ମୁଖପାତ୍ର କିନ୍ତୁ ଏହାକୁ ଗ୍ରହଣ କରିନାହାନ୍ତି।

ଏବେ ବିଜେଡିରେ ଅଜବ ସ୍ଥିତି ବିରୋଧୀ ଦଳ କମ୍ ନିଜ ଘର ଲୋକ ହିଁ ଦଳୀୟ ନେତାଙ୍କୁ ବିରୋଧ କରୁଛନ୍ତି। ଏହା ଜଳ ଜଳ ହୋଇ ପଦାକୁ ଦେଖାଯାଉଛି। ଏଭଳି ସ୍ଥିତିରେ ଦଳ କିପରି ଏକ ହୋଇ ନିର୍ବାଚନକୁ ଓହ୍ଲାଉଛି ତା ଉପରେ ନଜର।

You might also like