ତୁଟିନି ଖାଦ୍ୟ ସୁରକ୍ଷା ଯୋଜନା ପୁରୁଣା ଅଡ଼ୁଅା

ଭୁବନେଶ୍ୱର: ଟଙ୍କିକିଆ ଚାଉଳ ପାଇବାକୁ ଯୋଗ୍ୟ ନହୋଇ ରାସନକାର୍ଡ ହାତେଇଥିବା ହିତାଧିକାରୀଙ୍କୁ ଗିରଫ କରିଥିଲେ ରାଜ୍ୟ ସରକାର। ବାଦ୍‌ ପଡ଼ିନଥିଲେ ବୟସ୍କା କିମ୍ବା ପ୍ରସୁତି। ତେବେ ପଞ୍ଚୟାତ ନିର୍ବାଚନରେ ଭୋଟ୍‌ କଟିବାର ଭୟ ଯୋଗୁଁ ମାମଲା ପ୍ରତ୍ୟାହାର ସହ ଆଦାୟ କରିଥିବା ଜୋରିମାନା ଟଙ୍କା ଫେରସ୍ତ ପାଇଁ ଘୋଷଣା କରିଥିଲେ। ଏହା ଭିତରେ ବିତିଗଲାଣି ପାଖାପାଖି୨ ବର୍ଷ। ଅନେକଙ୍କୁ ଟଙ୍କା ଆଉ ଫେରାଗଲାନି। ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ରୁଗୁଡ଼ିପଡା ଅଞ୍ଚଳରୁ। ଅଭିଯୋଗ ଅନଯାୟୀ ଦୀପାଞ୍ଜଳି ରାଉତ ଜେଲ ଯିବା ଭୟରେ ରାସନ କା଼ର୍ଡ ଫେରସ୍ତ କରି ୨୫ ଶହ ଟଙ୍କା ଜୋରିମାନା ଦେଇଥିଲେ। କିନ୍ତୁ ଜୋରିମାନା ଅର୍ଥ ଆଉ ଫେରାଉନାହାଁନ୍ତି ସରକାର। ସେହି ଗାଁର ସରୋଜିନୀ ବି ପାଇଥିବା ରାସନକାର୍ଡ ଫେରାଇଲେ, ତିନିହଜାର ଟଙ୍କା ତଣ୍ଡ ବି ଗଣିଲେ। ହେଲେ ଆଉ ଟଙ୍କା ଫେରିଲାନି।

ପୂରା ରାଜ୍ୟରେ ଲକ୍ଷେ ୨୨ ହଜାର ଅଯୋଗ୍ୟ ମହିଳାଙ୍କ ହାତକୁ ରାସନ କାର୍ଡ ଚାଲିଯାଇଥିବା ଜାଣି ସରକାର କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ। ପରେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଆଦାୟ ହୋଇଥିଲା୪୨ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା। ହେଲେ ଜରିମାନା ଅର୍ଥ ଫେରସ୍ତ ନିଷ୍ପତ୍ତି ପରେ ଜିଲ୍ଲାକୁ ପଠାଯାଇଥିବା ୩୯ କୋଟି ଟଙ୍କାରୁ ୧୮ କୋଟି ୪୮ ଲକ୍ଷ ଟଙ୍କା ଫେରାଇଛନ୍ତି ଜିଲ୍ଲାପାଳ। ୪୨ କୋଟିରୁ ବାକି ତିନିକୋଟି ଟଙ୍କାର କେହି ଦାବିଦାର ନାହାଁନ୍ତି। ୧୨ ଟି ଜିଲ୍ଲାର ଜିଲ୍ଲାପାଳ ଟଙ୍କା ଫେରସ୍ତ ନ କରି ବିନିଯୋଗ ପ୍ରମାଣ ପତ୍ର ଦେଇନାହାନ୍ତି। ଏ.ଜି. ଏନେଇ ହିସାବ ମାଗିବା ପରେ  ସରକାରଙ୍କ ନିଦ ଭାଙ୍ଗିଛି। ଅଗଷ୍ଟ ୧୦ ସୁଦ୍ଧା ଟଙ୍କା ଫେରସ୍ତ କରି ବିନିଯୋଗ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି ଖାଦ୍ୟ ଯୋଗାଣ ବିଭାଗ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

କଟକ ମେୟର,ବାଲିଗୁଡା ବିଧାୟକଙ୍କ ପତ୍ନୀଙ୍କ ପରି ଅନେକ ଅନେକ ଥିଲାବାଲା ଲୋକ ରାସନ କାର୍ଡ ହାତେଇଥିବା ନେଇ ଅଭିଯୋଗ ଆସିଥିଲା। ଯାହାକୁ ନେଇ ବେଶ୍‌ ତମ୍ବିତୋଫାନ ହୋଇଥିଲା। ଏବେ ଟଙ୍କା ଫେରସ୍ତ ନେଇ ନୂଆ ଅଠାକାଠିରେ ଫସିଛନ୍ତି ସରକାର।

You might also like