ଭୁବନେଶ୍ୱର ଓ ଅନ୍ୟ ସହରରୁ ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ
ଭୁବନେଶ୍ୱର/ମୁମ୍ବାଇ: ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ କରି ଦିଆଯାଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି।
ଗତକାଲି ଇଣ୍ଡିଗୋର ଏକ ବିମାନ ବୈଷୟିକ ତୃଟି ଯୋଗୁ ୪୦ମିନିଟ୍ ପରେ ପୁଣି ଫେରି ଆସିଥିଲା। ଏହି ବିମାନଟି ଅହମଦାବାଦରୁ ଲକ୍ଷ୍ନୌ ଯାଉଥିଲା। ଏହି ଘଟଣାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ବିଭାଗ। ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଇଣ୍ଡିଗୋର ୮ଟି ବିମାନ ଓ ଗୋ ଏୟାରର ୩ଟି ବିମାନର ଉଡାଣ ଉପରେ କଟକଣା ଜାରି କରାଯାଇଛି।
ପୂର୍ବରୁ ଇଣ୍ଡିଗୋର ୩ଟି A320 ବିମାନକୁ ସମାନ କାରଣ ଦର୍ଶାଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଇଣ୍ଡିଗୋ ପକ୍ଷରୁ ଦୈନିକ ଏକ ହଜାରରୁ ଅଧିକ ବିମାନ ଚଳାଚଳ ହୋଇଥାଏ।