ଆଜି ଅପରାହ୍ନ ୪ଟାରେ ହେବ ବାଜପେୟୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ସଂପନ୍ନ ହେବ।  ସକାଳ ୭ଟା ୩୦ରୁ -୮ଟା ୩୦ ପର୍ଯ୍ୟନ୍ତ ୧ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀର ଦିଲ୍ଲୀ ସ୍ଥିତ ବାସଭବନରେ ରଖାଯିବ। ଏଠାରେ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବେ।

ଏହା ପରେ ସକାଳ ୯ଟାରେ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟକୁ ଅଣାଯିବ। ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଠାରେ ବାଜପେୟୀଙ୍କୁ ଶେଷ ଦର୍ଶନ କରିବେ।  ଦିନ ୧ଟାରୁ ଅନ୍ତିମ ଯାତ୍ରା ଆରମ୍ଭ ହେବ।  ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ଅନ୍ତିମ ସଂସ୍କାର କରାଯିବ।

ବାଜପେୟୀଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।  ସମସ୍ତ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକାକୁ ଅର୍ଦ୍ଧନମିତ ରଖାଯିବ। ୭ ଦିନ ପର୍ଯ୍ୟନ୍ତ କୌଣସି ସରକାରୀ ଉତ୍ସବ ପାଳନ ହେବନି।  ସେହିପରି ଆଜି ଓଡ଼ିଶାରେ ସବୁ ସ୍କୁଲ ଓ କଲେଜ ସହ ସମସ୍ତ ସରକାରୀ ଅଫିସ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ରାଜ୍ୟର ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ସମେତ ୧୧ଟି ରାଜ୍ୟରେ ଆଜି ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।  ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ହରିୟାଣା, ତାମିଲନାଡ଼ୁ  ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଛୁଟି ଘୋଷଣା କରାଯାଇଛି।

୯୩ ବର୍ଷ ବୟସରେ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଗତକାଲି ଅପରାହ୍ନ ୫ଟା ୫ ମିନିଟ୍‌ ସମୟରେ ଦିଲ୍ଲୀ ଏମ୍‌ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୯ ସପ୍ତାହ ଧରି ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହେଉଥିଲେ ବାଜପେୟୀ। ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା।

ସୂଚନାଯୋଗ୍ୟ, ଗତ ଜୁନ୍ ୧୧ ତାରିଖରେ ବାଜପେୟୀଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

You might also like