ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍ ଖାନ୍

ଇସ୍‌ଲାମାବାଦ୍‌: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଇସ୍‌ଲାମାବାଦ୍‌ରେ ଆଜି ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ମାମୁନ୍‌ ହୁସେନ୍‌ ତାଙ୍କୁ ଶପଥ ପାଠ କରାଇଥିଲେ।

ଶପଥଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ଯୋଗ ଦେଇଥିଲେ। ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ଅନେକ ଭାରତୀୟ ଗ୍ରହଣ କରି ପାରିନାହାନ୍ତି। ଏଥିପାଇଁ ସୋଶାଲ୍ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି।

ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ୍-ଏ ଇନ୍‌ସାଫ୍‌ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା।  ତେବେ ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଇମ୍ରାନ୍‌ ସଂଗ୍ରହ କରିପାରି ନଥିଲେ। ଫଳରେ ସେ ସରକାର ଗଠନ କରିପାରିବେ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା।

ତେବେ ଗତକାଲି ପାକିସ୍ତାନ ନ୍ୟାସ୍‌ନାଲ ଆସେମ୍ବ୍ଲିରେ ଇମ୍ରାନ୍‌ଙ୍କ ପିଟିଆଇକୁ ୧୭୬ ଜଣ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ତାଙ୍କ ପ୍ରତିପକ୍ଷ ଦଳ ମୁସଲିମ୍‌-ଇ-ଲିଗ୍‌-ଏନ୍‌(ପିଏମ୍‌ଏଲ୍‌ଏନ୍‌)କୁ ମାତ୍ର ୯୬ଟି ଭୋଟ୍‌ ମିଳିଥିଲା। ଫଳରେ କ୍ରିକେଟରରୁ ରାଜନେତା ହୋଇଥିବା ୬୬ ବର୍ଷୀୟ ଇମ୍ରାନ୍ ଖାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।

You might also like