ମୋଦି କହିଲେ- ‘ଜଣେ ପିତୃତୁଲ୍ୟ ବ୍ୟକ୍ତିତ୍ୱଙ୍କୁ ହରାଇଲି’

ନୂଆଦିଲ୍ଲୀ:  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

‘ଅଟଳ ବିହାରୀ ବାଜପେୟୀ ମୋ ପାଇଁ ପିତୃତୁଲ୍ୟ ଥିଲେ ଓ ତାଙ୍କର ବିୟୋଗ ବ୍ୟକ୍ତିଗତ ଭାବେ ମୋତେ କ୍ଷତି ପହଞ୍ଚାଇଛି। ସେ ମୋତେ ସଂଗଠନ ଓ ଶାସନ ଭଭୟର ମହତ୍ୱ ସମ୍ପର୍କରେ ବୁଝାଇଥିଲେ। ଏହି ୨ଟିରେ କେମିତି ସଫଳତାର ସହ କାର୍ଯ୍ୟ କରାଯିବ ସେ ମୋତେ ଶକ୍ତି ଓ ସାହସ ଦେଇଥିଲେ । ସେ ଯେବେବି ଦେଖା ହେଉଥିଲେ ଜଣେ ବାପା ଭଳି ଖୁସି ହୋଇ…ଆଉ ଅତି ନିଜର ଭାବି କରମର୍ଦ୍ଦନ କରି ପକାଉଥିଲେ’ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ‘ଆମ ସମସ୍ତଙ୍କ ପ୍ରେରଣା ସ୍ରୋତ ଆଉ ନାହାନ୍ତି। ଭାରତବର୍ଷ ନିଜର ଅମୂଲ୍ୟ, ଅଟଳ ରତ୍ନକୁ ହରାଇଲେ। ତାଙ୍କର ବିରାଟ ବ୍ୟକ୍ତିତ୍ୱ ଓ ତାଙ୍କ ଯିବାର ଦୁଃଖ ଭଭୟ ଶବ୍ଦରେ ଅବର୍ଣ୍ଣନୀୟ। ସେ ଏକାଧାରରେ ଥିଲେ ଜଣେ ଜନନାୟକ, ବକ୍ତା, କବି, ପତ୍ରକାର ଓ ପ୍ରଭାବଶାଳୀ ଅନ୍ତଃର୍ଜାତୀୟ ବ୍ୟକ୍ତିତ୍ୱ ’।

ଅଟଳ ବିହାରୀ ବାଜପେୟୀଙ୍କ ଅନୁକରଣୀୟ ନେତୃତ୍ୱ ମାଧ୍ୟମରେ ଏକବିଂଶ ଶତାବ୍ଦୀରେ ଏକ ମଜଭୁତ୍‌, ସମୃଦ୍ଧ ଭାରତ ପ୍ରତିଷ୍ଠା ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

“ମୁଁ ନିଃଶବ୍ଦ ହୋଇଯାଇଛି, ଶୂନ୍ୟରେ ଥିବା ପରି ଅନୁଭବ କରୁଛି, କିନ୍ତୁ ମନ ଭିତରେ ଆବେଗର ପ୍ରବଳ ଉଦବେଳନ ଘଟୁଛି। ଆମ ସମସ୍ତଙ୍କର ଶ୍ରଦ୍ଧେୟ ଅଟଳଜୀ ଆଉ ଆମ ଗହଣରେ ନାହାନ୍ତି। ସେ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରାଷ୍ଟ୍ର ପ୍ରତି ଉତ୍ସର୍ଗ କରିଦେଇଥିଲେ। ତାଙ୍କ ଅବସାନରେ ଗୋଟିଏ ଯୁଗର ଅନ୍ତ ଘଟିଲା..”

ଏହା ପରେ ସେ ବାଜପେୟୀଙ୍କ ମୃତ୍ୟୁ ସମ୍ପର୍କିତ ଏକ କବିତାରୁ ଏକ ପଂକ୍ତି ଉଦ୍ଧାର କରି କହିଛନ୍ତି, “ବାଜପେୟୀଜୀଙ୍କ ପ୍ରେରଣା ଓ ମାର୍ଗଦର୍ଶନ ପ୍ରତିଟି ଭାରତୀୟ ଓ ପ୍ରତିଟି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କାଳକାଳ ଉଦ୍‌ବୁଦ୍ଧ କରୁଥିବ।” ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନ ୫ଟା ୫ ମିନିଟ୍‌ ସମୟରେ ଦିଲ୍ଲୀ ଏମ୍‌ସରେ ପରଲୋକ ଘଟିଛି।

You might also like