ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀକୁ ବଞ୍ଚାଇବାକୁ ଜୀବନ ହାରିଲେ ସ୍ୱାମୀ

ସମ୍ବଲପୁର : ସାବିତ୍ରୀ ଅମାବାସ୍ୟାରେ ସମ୍ବଲପୁର ସହରରେ ଦୁଃଖଦ ଘଟଣା । ଏହି ପବିତ୍ର ଦିନରେ ଚାରିଆଡ଼େ ସ୍ୱାମୀଙ୍କ ଦୀର୍ଘ ଆୟୁ ଓ ଶୁଭ କାମନା କରି ମହିଳାମାନେ ବ୍ରତ ରଖୁଥିବା ବେଳେ ଏଠାରେ କିନ୍ତୁ ସତ୍ୟବାନ ରୂପୀ ସ୍ୱାମୀ ପତ୍ନୀକୁ ମୃତ୍ୟୁମୁଖରୁ ବଞ୍ଚାଇ ନିଜେ ଚାଲିଯାଇଛନ୍ତି ଆରପାରିକୁ।

ସମ୍ବଲପୁର ସହରର କମିଶନର କଲୋନୀରେ ଘଟିଛି ଏହି ଘଟଣା। ସମୟ ମଧ୍ୟାହ୍ନ ପ୍ରାୟ ୧୦ଟା। ମିଳିଥିବା ସୂଚନା ଅନୁଯାୟୀ, ଘରେ କାମ କରୁଥିବା ଜଣେ ସହାୟିକା ଲୁଗା ଶୁଖାଇବାକୁ ଯାଇ ପ୍ରଥମେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ସେ ଚିତ୍କାର କରି ଛଟପଟ ହେଉଥିବା ଦେଖି ପତ୍ନୀ ସରୋଜିନୀ ଉଦ୍ଧାର କରିବାକୁ ଉଦ୍ୟମ କରିବା ସହ ସେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ।

ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ଶେଷରେ ସ୍ୱାମୀ ବୃନ୍ଦାବନ ପଧାନ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତେବେ ସହାୟିକା ଏବଂ ତାଙ୍କ ପତ୍ନୀ ସିନା ବର୍ତ୍ତିଗଲେ। ହେଲେ ଆଖି ବୁଜିଦେଲେ ସ୍ୱାମୀ ବୃନ୍ଦାବନ। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ବୃନ୍ଦାବନଙ୍କ ପତ୍ନୀ ସରୋଜିନୀ ଏବଂ ଘରୋଇ ସହାୟିକାଙ୍କ ଅବସ୍ଥା ଅବଶ୍ୟ ଗୁରୁତର ରହିଛି। ଉଭୟଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଥିବା ବେଳେ ପୋଲିସ ଘଟଣାର ଅନୁଧ୍ୟାନ କରୁଛି।

ସାବିତ୍ରୀ ଓଷା ଭଳି ଦିନରେ ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି।

You might also like