ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିର ଛାଡି ନୀଳକନ୍ଦରକୁ ବାହୁଡ଼ିବେ ଶ୍ରୀଜିଉ।  ବାହୁଡ଼ାଯାତ୍ରା ଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ ବେଶଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ କରାଯିବ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ସେନାପଟା ନୀତି ସମ୍ପନ୍ନ ହେବ।  ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ।  ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢେ ୨ଟା ମଧ୍ୟରେ ବାହୁଡା ନୀତି କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଛେରା ପହଁରା ଅପରାହ୍ନ ୨ଟା ୩୦ ମିନିଟ୍‌ରୁ ୩ଟା ୩୦ ମିନିଟ୍‌ ମଧ୍ୟରେ କରିବାକୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।  ଏହି ସମସ୍ତ ନୀତିକାନ୍ତି ସରିବା ପରେ ଅପରାହ୍ନ ୪ଟାରେ ରଥ ଟଣାଯିବ।  ସେପଟେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ବାହୁଡା ପାଇଁ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ ସହ କଡା ସୁରକ୍ଷା ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର। ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

You might also like