ଟ୍ରେନ୍‌ ଧରିବାରେ ବିଫଳ ହେବାରୁ…

ନୂଆଦିଲ୍ଲୀ: ହାୱଡ଼ା ରାଜଧାନୀ (ନୂଆଦିଲ୍ଲୀ-ହାୱଡ଼ା) ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍ କଲ୍। ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍‌ କଲ୍ ମିଳିବା ପରେ ଗାଜିଆବାଦ ଷ୍ଟେସନରେ ଟ୍ରେନ୍‌ଟି କିଛି ଘଣ୍ଟା ପାଇଁ ଅଟକି ରହିଥିଲା। ତେବେ ଯାଞ୍ଚ କରାଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ସୂଚନା ଅନୁସାରେ, ହାୱଡ଼ା ରାଜଧାନୀ ଟ୍ରେନ୍‌ରେ ବୋମା ଥିବା ଖବର ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ମିଳିବା ପରେ ତତ୍‌କ୍ଷଣାତ ଏନେଇ ଆଲର୍ଟ କରାଯାଇଥିଲା। ଟ୍ରେନ୍‌କୁ ଗାଜିଆବାଦ ଷ୍ଟେସନରେ ଅଟକା ଯାଇ ଏହାକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା। ମାତ୍ର ଟ୍ରେନ୍‌ରୁ ସେମିତି କିଛି ସନ୍ଦେହଜନକ ବସ୍ତୁ ମିଳିନଥିଲା।

ଅନ୍ୟପକ୍ଷରେ, ତଦନ୍ତ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। କୋଲକାତାରେ ରହୁଥିବା ଜଣେ ବ୍ୟକ୍ତି ଟ୍ରେନ୍‌ ଧରିବାରେ ବିଫଳ ହେବାରୁ ଏଭଳି ଗୁଜବ ଫୋନ୍‌ କଲ୍‌ କରିଥିଲେ ବୋଲି ଜଣାପଡ଼ିଛି। ବ୍ୟକ୍ତି ଜଣକ ପଟିଆଲାରୁ ସ୍ତ୍ରୀଙ୍କ ସହ ହାୱଡ଼ା ରାଜଧାନୀ ଟ୍ରେନ୍‌ରେ ଫେରୁଥିଲେ। କିନ୍ତୁ ଷ୍ଟେସନରେ ପହଞ୍ଚିବା ବାଟରେ ସେ ଏକ ଫାର୍ମାସିରେ ରହି ଯାଇଥିଲେ। ଫଳରେ ଟ୍ରେନ୍‌ ଧରିବାରେ ବିଫଳ ହୋଇଥିଲେ। ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣକ କଣ୍ଟ୍ରୋଲ ରୁମ୍‌କୁ ବୋମା ଥିବା ଖବର ଦେଇଥିଲେ। ଘଟଣାର ଯାଞ୍ଚ ପରେ ଏହା ଏକ ଗୁଜବ ଖବର ବୋଲି ଜଣାପଡ଼ିଥିଲା।

You might also like