ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଭର୍ତ୍ସନା

କଟକ : ଶ୍ରୀମନ୍ଦିର ଇତିହାସରେ ଲଜ୍ଜା। କ୍ରମାଗତ ୪ଦିନ ହେଲାଣି ଅବଢ଼ା ବନ୍ଦ। କୋଠ ଭୋଗ ଚାଲିଥିବାରୁ ଠାକୁର ଉପାସରେ ନାହାନ୍ତି ବୋଲି କହି ମନ୍ଦିର ପ୍ରଶାସନ ଓ ସୁଆର ସେବାୟତ ସିନା ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ କଣ ଏହା ଭଲ ଲାଗୁଥିବ ? ୪ଦିନ ହେଲାଣି ମହାପ୍ରସାଦ ନ ପାଇ ଆନନ୍ଦ ବଜାରରୁ ଖାଲି ପେଟରେ ଫେରୁଥିବା ଭକ୍ତର କଷ୍ଟ କଣ ଠାକୁରଙ୍କୁ ବାଧୁ ନଥିବ ?

ହେଲେ କାହାରି କିଛି କରିବାର ଯୁ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଠାରୁ ଅମୁଣିଆ କ୍ଷତିପୂରଣ ଦାବିରେ ସୁଆର ନିଯୋଗର ଅସହଯୋଗରୁ ଉପୁଜିଛି ଏଭଳି ସ୍ଥିତି। ଅବସ୍ଥା ଦେଖି ଲାଗୁଛି ସେବାୟତ, ମନ୍ଦିର ପ୍ରଶାସନ କି ସରକାର କେହି ଯେମତି ଏହାକୁ ଗମ୍ଭୀରତାର ସହ ନେବାକୁ ପ୍ରସ୍ତୁତ ନୁହଁନ୍ତି। ଯାହାକି ଗତକାଲି ବିଧାନସଭାରେ ଆଇନମନ୍ତ୍ରୀ ରଖିଥିବା ଉତ୍ତର ଓ ପୁରୀ ଜିଲ୍ଲାପାଳଙ୍କ କଥାରେ ତାଳମେଳ ନରହିବା ଘଟଣାରୁ ସ୍ପଷ୍ଟ ହୋଇଛି।

ଖାଲି ଅବଢ଼ା ବନ୍ଦ ହୋଇନି, ଠାକୁରଙ୍କ ନୀତିରେ ବି ହୋଇଛି ବିଭ୍ରାଟ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଭୁଲ୍ କରି ଉପସ୍ଥାପନ କରାଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ନୀତିକାନ୍ତି ଉପରେ କୌଣସି ନିର୍ଦ୍ଦେଶ ଦେଇନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। କୋର୍ଟ କେବଳ ଶ୍ରୀମନ୍ଦିର ସଂସ୍କାର କମିଶନ ମୁଖ୍ୟ ଜଷ୍ଟିସ୍ ବିପି ଦାସଙ୍କ ସୁପାରିଶ ଲାଗୁ କରିବାକୁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଅନୁପାଳନ ନିର୍ଦ୍ଦେଶ ଦେଇଥିଲେ।

ନୀତିକାନ୍ତି ଶୃଙ୍ଖଳିତ କରିବା ଉଭୟ ସରକାର ଓ ପ୍ରଶାସନର କାର୍ଯ୍ୟ। ଏମିତିକି ଆଜି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ମହାପ୍ରସାଦ ହୋଇପାରୁନଥିବା ନେଇ କୋର୍ଟଙ୍କ ଆଗରେ ସ୍ୱୀକାର କରିଥିବାବେଳେ ସୁଆର ନିଯୋଗ ବି ପକ୍ଷଭୁକ୍ତ ହୋଇ ସମସ୍ୟା ପଛର କାରଣ ଦର୍ଶାଇଛି। ତେବେ ଆସନ୍ତାକାଲି ଅବଢ଼ା ବାହାରିବା ନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ।

ଖାଲି ଭକ୍ତ ନୁହଁନ୍ତି, ଏ ବିଭ୍ରାଟ ଭିତରେ କୋଟି ଓଡ଼ିଆଙ୍କ ପ୍ରାଣ ସ୍ୱଂୟ ଜଗନ୍ନାଥ ମହାପ୍ରଭୁ ମଧ୍ୟ ହନ୍ତସନ୍ତ ହେଉଥିବା ପରି ଅନୁଭବ ହେଉଛି।

You might also like