ରାଜ୍ୟ ସରକାରଙ୍କ ଅାନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ

ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ କଟକ, ପୁଣି କଟକରୁ ଦିଲ୍ଲୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସବୁଠି ଶୁଭିଛି ଆନ୍ଦୋଳନର ସ୍ୱର। ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ। ତେବେ ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି .ପି ଚୌଧୁରୀଙ୍କ ଉତ୍ତର ପରେ ପୁଣି ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରୀତିକୁ ପଦାରେ ପକାଇଛି।  ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ନେଇ ନ ଥିବା ବେଳେ ସଂପୂର୍ଣ୍ଣ ପ୍ରସ୍ତାବ ପଠାଇନାହାଁନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଆଇନ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି,ଏଥିପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ, ଯାହା ଓଡ଼ିଶାର ପ୍ରସ୍ତାବରେ ନାହିଁ।

୨୦୧୩ ସେପ୍ଟେମ୍ବରରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ୨ଟି ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ସେହିବର୍ଷ ଅକ୍ଟୋବରରେ ଏ ସଂପର୍କିତ ପ୍ରସ୍ତାବ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଠାଯାଇଥିଲା। ତାପରେ ୫ ବର୍ଷ ହେବ ଚୁପ୍‌ ବସିଛନ୍ତି ସରକାର। ତେଣୁ ପ୍ରଶ୍ନ ଉଠିଛି, ପ୍ରକୃତରେ ହାଇକୋର୍ଟ ବେଞ୍ଚ ପାଇଁ ସରକାର ଚାହୁଁଛନ୍ତି ନା ଭୋଟ୍ ବ୍ୟାଙ୍କ୍‌ ବିଗିଡ଼ିବା ଆଶଙ୍କାରେ କେବଳ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ସମୟ ଗଡ଼ାଇ ଚାଲିଛନ୍ତି।ରାଜ୍ୟସଭାରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରକୁ କିନ୍ତୁ ଅସମ୍ପୂର୍ଣ୍ଣ ଓ ବିଭ୍ରାନ୍ତିକର ବୋଲି କହିଛନ୍ତି ପ୍ରଶ୍ନ ପଚାରିଥିବା ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାୟିତ୍ୱ କେନ୍ଦ୍ରର ବୋଲି କହି କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଥିବା ବେଳେ ବିଜେପି ରାଷ୍ଟ୍ରୀୟ ସଂପାଦକ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଦୁହିଁଙ୍କ କଳି ଭିତରେ କଂଗ୍ରେସ୍‌, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ ଚାଲିଛି। କେନ୍ଦ୍ର ସରକାର ଅନେକ ଥର ସଂସଦରେ ରାଜ୍ୟ ସଂପୂର୍ଣ୍ଣ ପ୍ରସ୍ତାବ ଦେଉନି ବୋଲି ଅଭିଯୋଗ କରିଆସୁଛନ୍ତି। ଗତ ଜାନୁଆରୀ ୫ରେ ପ୍ରସନ୍ନ ଆଚାର୍ଯ୍ୟ ,୧୮ ଡିସମ୍ବେରରେ ୨୦୧୫ରେ  ଭୁପିନ୍ଦିର ସିଂଙ୍କ  ଅଗଷ୍ଟ ୮ , ୨୦୧୧ ଓ ୧୬ ଅଗଷ୍ଟ ୨୦୧୦ରେ ରୁଦ୍ର ନାରାୟଣ ପାଣି ପଚାରିଥିବା ପ୍ରଶ୍ନରେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଥିଲେ କେନ୍ଦ୍ର ସରକାର। ରାଜ୍ୟ କିନ୍ତୁ କେନ୍ଦ୍ରର ଏ ଯୁକ୍ତିକୁ ଗ୍ରହଣ କରୁନାହିଁ। ୟା ଭିତରେ ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଆନ୍ଦୋଳନରତ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

You might also like