ରାଜ୍ୟ ସରକାରଙ୍କୁ ବିମାନ ଉଡ଼ାଣର ହିସାବ ମାଗଲେ ବିରୋଧୀ
ଭୁବନେଶ୍ୱର: ଟୁଇଟ୍ରେ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ନିଶାନା। ନିରଞ୍ଜନ ପ୍ରଶ୍ନ କରିଛନ୍ତି, ରାଜ୍ୟପାଳଙ୍କୁ ତ ବିମାନ ଉଡ଼ାଣର ହିସାବ ମାଗିଲ, ହେଲେ ଗତ ତିନିବର୍ଷରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ବିମାନ ଉଡ଼ାଣ ବାବଦରେ ହୋଇଥିବା ୨୬ କୋଟି ୫୫ ଲକ୍ଷ ଖର୍ଚ୍ଚର ହିସାବ ଦେବେ କି?
ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ ନିଜସ୍ୱ ବିମାନ ନାହିଁ। ମାସିକିଆ ଭଡ଼ା ସୂତ୍ରରେ OSS କମ୍ପାନୀଠାରୁ ବିମାନ ଆଣୁଛନ୍ତି ସରକାର। ଗତ ମେ’ରେ ମାସିକିଆ ଭଡ଼ା ସୂତ୍ରରେ ଆସିଥିବା ବିମାନ ବାବଦରେ ୯୨ ଲକ୍ଷ ୭୬ ହଜାର ଟଙ୍କାର ବିଲ୍ ହୋଇଛି। କିନ୍ତୁ ସେହି ମେ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ବ୍ୟବହାର ହୋଇଥିଲା ଭିନ୍ନ ଏକ ପିନାକାଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ୍ର ବିମାନ। ସେହି ଗୋଟିଏ ଉଡ଼ାଣ ପାଇଁ ବିଲ୍ ହୋଇଥିଲା ୧୦ ଲକ୍ଷ ୩୩ ହଜାର ଟଙ୍କା। ପ୍ରଶ୍ନ ଉଠୁଛି, OSS ଥାଉ ଥାଉ ପିନାକଲ୍ରୁ କାହିଁକି ଭଡ଼ାରେ ଅଣାଗଲା ବିମାନ?
ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବିଭିନ୍ନ ରାଜ୍ୟ ନିଜସ୍ୱ ବିମାନ ରଖୁଛନ୍ତି। ଓଡ଼ିଶା ସରକାରଙ୍କର ବି ପୂର୍ବରୁ ନିଜସ୍ୱ ବିମାନ ଥିବାବେଳେ ନବୀନ ସରକାର ଅମଳରେ ଏହାକୁ ବିକ୍ରି କରି ଦିଆଗଲା। ତେବେ ବିମାନ ପାଇଁ ଉଦ୍ଦିଷ୍ଟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟରେ ଏବେ ବି କର୍ମଚାରୀ କାର୍ଯ୍ୟରତ। ଏପଟେ ଭଡ଼ାରେ ବିମାନ ଅଣାଯାଉଛି। କେବଳ ସେତିକି ନୁହେଁ, ଓଡ଼ିଶା ବାହାରକୁ ଯିବା ପାଇଁ ଚାଟାର୍ଡ ଫ୍ଲାଇଟ୍ ମଧ୍ୟ ଭଡ଼ାରେ ଆସୁଛି। ଏହାର ଖର୍ଚ୍ଚ ବେଶ୍ ଅଧିକ ବୋଲି ପାଇଲଟ୍ କହିଛନ୍ତି। ତେବେ ଏ ସବୁ ଅଭିଯୋଗ ଉପରେ ତର୍ଜମା କରାଯିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ସେପଟେ ମାଓବାଦ ଦମନ ପାଇଁ ଆସିଥିବା ପୱନହଂସ ହେଲିକେପ୍ଟରକୁ ମଧ୍ୟ ରାଜ୍ୟ ନେତାଏ ବ୍ୟବହାର କରିଛନ୍ତି। ଗତ ତିନିବର୍ଷରେ ୩୪୧ ଥର ଉଡ଼ାଣ କରିଥିବା ପୱନହଂସରେ ମାଓବାଦ ଦମନ କାର୍ଯ୍ୟରେ ମାତ୍ର ୫୩ଥର ଉଡ଼ାଣ ହୋଇଛି। ବାକି ୨୮୮ ଥର ରାଜ୍ୟ ସରକାର ନିଜସ୍ୱ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।