ସମ୍ବଲପୁରରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଲଘୁଚାପ ଜନିତ ଲଗାଣ ବର୍ଷାର ତୃତୀୟ ଦିନରେ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ସମ୍ବଲପୁର ସହରର ମୋଦିପଡ଼ା, ହାଉସିଂ ବୋର୍ଡ କଲୋନୀ, SRIT କଲୋନୀ ଏବଂ ଅଇଁଠାପାଲିରେ ପାଣି ନାକେଦମ୍‌ କରିଛି। ଫଳରେ ବିପନ୍ନ ହୋଇପଡ଼ିଥିବା ଶତାଧିକ ଲୋକଙ୍କୁ ସହରର ୩୪ଟି ଆଶ୍ରୟକେନ୍ଦ୍ରରେ ରଖାଯିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ସେହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଗୋଶାଳା-କଳାମାଟି ଅଞ୍ଚଳରେ କେନାଲ୍‌ରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ବରଗଡ଼ରେ ବି ଅବସ୍ଥା ସାଂଘାତିକ। କାହା ଘରେ ଆଣ୍ଠୁଏ ପାଣି ତ ଆଉ କେଉଁଠି ଭୁଶୁଡ଼ି ପଡ଼ିଛି ଘର କାନ୍ଥ। ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ତଳି ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଘରେ ଘରେ ପାଣି ପଶିଛି। ବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବା ସହ ରନ୍ଧାଖାଦ୍ୟ ଦିଆଯାଉଛି। ସୁବର୍ଣ୍ଣପୁର ବିନିକାରେ ବି ଭୟଙ୍କର ଅବସ୍ଥା। ଚୌକିଯୋର୍‌ରେ ପାଣି ବଢ଼ୁଥିବାରୁ ବିଭିନ୍ନ ଘାଇ ଦେଇ ଗାଁ ଭିତରକୁ ପାଣି ପଶୁଛି। ସୁବର୍ଣ୍ଣପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଢେଙ୍କାନାଳ ଜିଲ୍ଲା ରାୟନରସିଂହପୁରରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବାଞ୍ଜମୁଣ୍ଡା ଗାଁରେ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ମାଆ ଓ ୩ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ବର୍ଷାଜନିତ ସ୍ଥିତିକୁ ଦେଖି ରବିବାର ସତ୍ତ୍ୱେ ସମସ୍ତ ସରକାରୀ ଅଫିସ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ କେଉଁଠି ତାଲା ଝୁଲୁଥିଲା ତ ଆଉ କେଉଁଠି ଅଧିକାରୀଙ୍କ ଦର୍ଶନ ମିଳିନଥିଲା। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜସ୍ୱ ବିଭାଗରେ ଅଧିକାଂଶ ଚେୟାର୍ ଖାଲି ଥିଲା। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ  ତାଲା ଲାଗିଥିଲା । ଆଉ କିଛି ଅଫିସରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଅବସ୍ଥା।

ଏପଟେ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁଁ କିଛି ଅଞ୍ଚଳ ଜଳମଗ୍ନ ହୋଇଛି ବୋଲି କହିଛନ୍ତି ଏସଆର୍‌ସି। ଗତକାଲି ଯେଉଁ ସବୁ ଜାଗାରେ ପ୍ରବଳ ବର୍ଷା ହୋଇଥିଲା, ସେ ଅଞ୍ଚଳରେ ସ୍ଥିତିରେ ସୁଧାର। ତେବେ ୧୯୮୨ ଅଗଷ୍ଟରେ ବୁର୍ଲାରେ ହୋଇଥିବା ୫୮୧ ମିଲିମିଟର ବର୍ଷାର ରେକର୍ଡ ଭାଙ୍ଗି ଆଜି ସର୍ବାଧିକ ୬୨୨ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।

You might also like