ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି
ଭୁବନେଶ୍ୱର : ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ମୌସୁମୀ ପହଞ୍ଚୁ ପହଞ୍ଚୁ ରାଜ୍ୟର ଅଧିକାଂଶ ସ୍ଥାନରେ ଅସରାଏ ଦି ଅସରା ବର୍ଷା ବି ହୋଇଥିଲା। ଏହା ପରେ ଦୁଇ ତିନ ଦିନି ଆକାଶ ମେଘୁଆ ରହିବା ପରେ ଯେମିତି ଆକାଶରୁ ଉଭେଇ ଯାଇଛି ମେଘ। ବଦଳରେ ପୁଣି ଗ୍ରୀଷ୍ମର ଲେଉଟାଣି। ଉପକୂଳରୁ ଉପାନ୍ତ ସବୁଠି ଏବେ ଦାରୁଣ ନିଦାଘର ତାଡ଼ନା। ଟାଇଁ ଟାଇଁ ଖରାରେ ସିଜୁଛି ଗାଁରୁ ସହର। ଟିଟିଲାଗଡ଼ରେ ପାରା ପୁଣି ୪୨ଡିଗ୍ରୀ ପାଖାପାଖି। ବଲାଙ୍ଗିର ଅବସ୍ଥା ବି ଅସମ୍ଭାଳ। କଟକ, ବାଲେଶ୍ୱର ଭଳି ଉପକୂଳ ଜିଲ୍ଲାରେ ଡହ ଡହ ଖରା ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳିରେ ଯେମିତି ତ୍ରାହି ତ୍ରାହି ଡାକିଲେଣି ଲୋକେ।
ଏପଟେ ମୌସୁମୀର ସଅଳ ଆଗମନରେ ଖୁସି ଥିବା ଚାଷୀକୂଳ, ପାଗର ଏଭଳି ହଠାତ୍ ପରିବର୍ତ୍ତନକୁ ଦେଖି ହତାଶ ହୋଇପଡ଼ିଛି। କୃଷି ବିଭାଗ ବି ପୁନର୍ବାର ମୌସୁମୀ ବର୍ଷା ନଆସିବା ଯାଏ ଢିପ ଓ ମଧ୍ୟ କିସମ ଜମିରେ ବିହନ ନବୁଣିବାକୁ ପରାମର୍ଶ ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ବି ହୋସ୍ ଉଡାଇ ଦେଲା ଭଳି। ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟରେ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। କେବଳ ଦକ୍ଷିଣ ଓଡ଼ିଶାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଲାଗି ରହିବ।
ତେବେ ଆଗାମୀ ସପ୍ତାହର ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ପୂର୍ବ ସୂଚନା ମିଳୁଛି। ଏହା ହେଲେ ମୌସୁମୀ ପୁଣି ସକ୍ରୀୟ ହେବା ସହ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ କହିଛି।
ଏଥର ମୌସୁମୀ ସ୍ୱାଭାବିକ ରହିବା ସହ ପୂର୍ବ ଆକଳନଠାରୁ ଅଧିକ ବର୍ଷିବ ବୋଲି କହିଥିଲା ଭାରତୀୟ ପାଣିପାଗ ବିଭାଗ। ଏହାକୁ ନେଇ ଲୋକେ ଆଶ୍ୱସ୍ତ ଥିଲେ। ତେବେ ମୌସୁମୀ ଋତୁ ଆରମ୍ଭରୁ ସ୍ଥିତି ଯାହା ହୋଇଛି ତାକୁ ନେଇ ମନରେ ଆଶଙ୍କା ବଢିଯାଇଛି।