ଲଗାତର ୫ ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ସ୍ଥିତି

ଭୁବନେଶ୍ୱର : ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି। ମୌସୁମୀ ଧୋକା ଦେବା ପରେ ବର୍ଷାରେ ଗ୍ରୀଷ୍ମର ରାଜୁତି। ତ୍ରାହି ତ୍ରାହି ଡାକୁଛି ଜନଜୀବନ। କଟକ, ବ୍ରହ୍ମପୁର ହେଉକି ଢେଙ୍କାନାଳ ଅବା ଟିଟିଲାଗଡ଼ ସବୁଠି ଅସମ୍ଭାଳ ତାତି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି ମୁସ୍କିଲ୍ ହୋଇପଡୁଛି। ଖାଁ ଖାଁ ରାସ୍ତାଘାଟ। ତାପମାତ୍ରାର ଏଭଳି ବୃଦ୍ଧି ସାଙ୍ଗକୁ ଅଂଶୁଘାତର ଅଭିଯୋଗ ବି ବଢୁଛି। କେନ୍ଦ୍ରାପଡ଼ା ଜଝାଙ୍ଗ ଗାଁରେ ଆଜି ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ପାଣିପାଗ କହିଛି ଏଭଳି ସ୍ଥିତି ଆହୁରି ୫ ଦିନ ଜାରି ରହିବ।

ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ବାରିପଦା ସହରରେ ତ ଅଧିକାଂଶ ସମୟରେ ଏଭଳି ସ୍ଥିତି ବାହାରେ ଖରା, ଘର ଭିତରେ ବିଜୁଳି ନଥିବାରୁ ଗୁଳୁଗୁଳିର ଯନ୍ତ୍ରଣା। ଦିନ, ରାତି ହାତପଙ୍ଖା ହିଁ ଭରସା। ଖାଲି ବାରିପଦା ସହର ନୁହେଁ ରାଜ୍ୟର ଅଧିକାଂଶ ସ୍ଥାନରେ ଅଘୋଷିତ ବିଜୁଳି କାଟରେ ଲୋକେ ଅତିଷ୍ଠ ହେଲେଣି। ତେବେ ମରାମତି ପାଇଁ କିଛି ସ୍ଥାନରେ ଅଘୋଷିତ ବିଦ୍ୟୁତ୍‌ କାଟ୍ କଥାକୁ ସ୍ୱୀକାର କରିଛନ୍ତି ଗ୍ରୀଡ୍‌କୋ କର୍ତ୍ତୃପକ୍ଷ।

ଏପଟେ ଭୁବନେଶ୍ୱରରେ ଆଜି ଦିନ ତମାମ ପ୍ରବଳ ଖରା ପରେ ଅପରାହ୍ଣରେ କିଛି ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବର୍ଷା ପବନରେ ଏଜି ଛକରୁ ଗଭର୍ଣ୍ଣର ହାଉସ୍ ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ଡାଳ ପଡ଼ି ପ୍ରାୟ ୧୦ ଆହତ ହୋଇଛନ୍ତି।

You might also like