ମୌସୁମୀ ଉଭାନ: ଡହ ଡହ ଖରାରେ ସିଝୁଛି ଓଡ଼ିଶା
ଭୁବନେଶ୍ୱର: ଚାରିଆଡ଼େ ଡହ ଡହ ଖରା। ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ। ଦିନ ହେଉ କି ରାତି ତାତି କିନ୍ତୁ କମିବାର ନାଁ ନେଉନି। ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି କେଉଁଠି ପାରଦ ୪୦ ଡିଗ୍ରୀ ତ ଆଉ କେଉଁଠି ତାପମାତ୍ରା ତା’ଠାରୁ ବି ବେଶୀ ରହିଛି। ରାଜ୍ୟର ୮ଟି ସହରରେ ଆଜି ୪୦ ଡିଗ୍ରୀ ଉପରେ ରହିଥିଲା ପାରା। କିଛି ଦିନ ହେଲାଣି ଏଭଳି ତାତି ଲାଗି ରହିଥିବାରୁ ସ୍କୁଲ ଛୁଟିକୁ ବି ୩ ଦିନ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବଢ଼ୁଥିବା ଏଭଳି ତାତିକୁ ଦେଖି ସତର୍କବାଣୀ ଜାରି କଲାଣି ପାଣିପାଗ ବିଭାଗ।
ଭୟଙ୍କର ତାତିକୁ ଦେଖି ରାଜ୍ୟର ୮ଟି ଜିଲ୍ଲାରେ ହିଟ୍ୱେଭ ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୁରଭଞ୍ଜ, କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲା ପାଇଁ ହିଟ୍ୱେଭ୍ ସର୍ତକତା ଜାରି କରାଯାଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ମୌସୁମୀ ଆସିବା ପରେ ବି ଦାଉ ସାଜୁଛି ବୈଶାଖ। ଯେଉଁ ସମୟରେ ବର୍ଷା ବର୍ଷିବା କଥା, ସେହି ସମୟରେ ବର୍ଷୁଛି ନିଆଁ। ବହୁଛି ଗରମ ପବନ, ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି। ଟିଟିଲାଗଡ଼ର ଯେଉଁଭଳି ଭାବେ ବୈଶାଖୀର ତାତି ରହିଛି, ତାହା ପ୍ରକୃତିର ଅଘୋଷିତ କର୍ଫ୍ୟୁ ଭଳି ମନେ ହେଉଛି। କେବଳ ଭୁବନେଶ୍ୱର କିମ୍ବା ଟିଟିଲାଗଡ଼ ନୁହେଁ, ମୌସୁମୀ ଆସିବା ପରଠାରୁ ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ। ୪୦ ଡିଗ୍ରୀର ପାରଦରେ ସିଝୁଛି ଉପାନ୍ତରୁ ଉପକୂଳ। ଫଳରେ ୩ ଦିନ ଧରି ରଜ ମଉଜ ବି ଫିକା ପଡ଼ି ଯାଇଛି।
ଏଭଳି ତାତିକୁ ଦେଖି ଖରାଛୁଟିକୁ ଆଉ ୩ ଦିନ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଚଳିତ ମାସ ୧୮ ବଦଳରେ ୨୧ ତାରିଖରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍ ସୋମବାର ବଦଳରେ ଗୁରୁବାର ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।