ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ : ଶ୍ରୀମନ୍ଦିର ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ। ଏଥିରେ ଜଗମୋହନ ଖୋଲିବା ସଂପର୍କରେ ସତ୍ୟପାଠ ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଜଗମୋହନ ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ଦର୍ଶାଇ ନଥିବାରୁ କୋର୍ଟ ବିରକ୍ତି ହୋଇଥିଲେ। ଜଗମୋହନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ହାଇକୋର୍ଟ କଡ଼ା ତାଗିଦ କରିଛନ୍ତି। ଯଦି ନିର୍ଦ୍ଦିଷ୍ଟ ଭାବେ ତାରିଖ ନଜଣାଇଲେ ମୁଖ୍ୟ ପ୍ରଶାସକ ହାଜର ହେବେ ବୋଲି କୋର୍ଟ କହିଛନ୍ତି।
ସେହିପରି ସିଲ୍ ଲଫାପାରେ ରତ୍ନଭଣ୍ଡାର ଯାଞ୍ଚ ସଂପର୍କିତ ରିପୋର୍ଟ ବି ଦାଖଲ ହୋଇଥିବା ଜଣାପଡିଛି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗତକାଲି ରତ୍ନଭଣ୍ଡାର ଯାଞ୍ଚ ବେଳେ କାନ୍ଥ ଓଦା ରହିବା ସହ ଫାଟିଯାଇଥିବା ନେଇ ଯାଞ୍ଚକାରୀ ଟିମ୍ ସଦସ୍ୟ ସୂଚନା ଦେଇଥିଲେ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚବେଳେ କାହିଁକି ଖୋଲାଗଲାନାହିଁ ଭିତର ଭଣ୍ଡାର ଗୃହ? କଣ ରହିଛି ପ୍ରକୃତ କାରଣ? ତାଲା ଖୋଲିଲାନି ବୋଲି ଭିତର ଭଣ୍ଡାର ଖୋଲିପାରିଲାନି ନା ଆବଶ୍ୟକତା ପଡିଲାନାହିଁ, ତାକୁ ନେଇ ଲାଗିରହିଛି ଚର୍ଚ୍ଚା। ଚାବିକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଯାଞ୍ଚ ଟିମ୍ ଭିତରକୁ ଯିବାର ଆବଶ୍ୟକତା ମନେକଲେନାହିଁ। ତେଣୁ ଭିତର ଭଣ୍ଡାର ଖୋଲାଗଲାନାହିଁ।
ତେବେ ଟିମ୍ ୫ ସେଟ୍ ଚାବି ନେଇଯାଇଥିଲେ। କେଉଁ ସେଟ୍ ଚାବିରେ ଭିତର ଭଣ୍ଡାର ଖୋଲିବ ବୋଲି ଟିମ୍ ଜାଣିନଥିବା ସେ ସ୍ପଷ୍ଟ କରିଛନ୍ତି। ଗତକାଲି ଯାଞ୍ଚ ସାରି ଟିମ୍ ଆସିବାପରେ ଚାବି ଖୋଲିନଥିବାରୁ ଭିତର ଭଣ୍ଡାର ଖୋଲାଗଲାନାହିଁ ବୋଲି ଚର୍ଚ୍ଚା ଲାଗିରହିଥିଲା।