ପୁଣି ଅାତଙ୍କବାଦୀ ସଙ୍ଗଠନରେ ଓଡିଶା ଲିଙ୍କ୍‌

ଲସ୍କର- ଇ- ତୋଇବା ସଙ୍ଗଠନ ସଦସ୍ୟ ହବିବୁର ରେହମାନ ଏନଅାଇଏ ଦ୍ୱାରା ଗିରଫ

ଭୁବନେଶ୍ୱର : କୁଖ୍ୟାତ ଅାତଙ୍କବାଦୀ ସଂଗଠନ ଲସ୍କର- ଏ- ତାଇବାର ଜଣେ ସହଯୋଗୀକୁ ଏନଅାଇଏ ଟିମ୍ ଗିରଫ କରିଛି। ହବିବୁର ରେହମାନ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ଗିରଫ କରାଯାଇଛି।

ହବିବ୍ ସାଉଦି ଅାରବରୁ ଭାରତକୁ ଅାସୁଥିଲା। ହବିବ୍ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି। ତା ନାଁରେ ସ୍ୱତନ୍ତ୍ର ଏନଅାଇଏ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।  ଏନଅାଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର ଅାତଙ୍କବାଦୀ ଶେଖ୍ ଅବଦୁଲ ନଇମର ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲା।

୨୦୦୭ ମସିହାରେ ଦୁଇଜଣ ପାକିସ୍ତାନୀ ଓ ଜଣେ କାଶ୍ମୀର ଅାତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବା ବେଳେ ଶେଖ୍ ଅବଦୁଲ ନଇମକୁ ଗିରଫ କରାଯାଇଥିଲା।  କିନ୍ତୁ ପରେ ସେ ହାଜତରୁ ଫେରାର ହୋଇ ଅାତଙ୍କବାଦୀ ସଂଗଠନରେ ପୁଣି ସାମିଲ ହୋଇଥିଲା।

୨୦୧୭ରେ ନଇମଙ୍କୁ ପୁଣିଥର ଗିରଫ କରାଯିବା ପରେ ହବିବୁର ରେହମାନ ସହ ଅନ୍ୟ ୧୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ନଇମ ବିଭିନ୍ନ ସ୍ଥାନରେ ଅାତଙ୍କବାଦୀ ଅାକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ହବିବୁର ରେହମାନ୍ ଟଙ୍କା ଯୋଗାଡରେ ସହାୟତା କରୁଥିଲା। ଏପରିକି ନଇମଙ୍କ ଲୁଚିବାରେ ମଧ୍ୟ ହବିବୁର ସାହାଯ୍ୟ କରୁଥିଲା।

ସେପଟେ ଡିଜିପି ଦାୟିତ୍ୱରେ ଥିବା ସତ୍ୟଜିତ୍‌ ମହାନ୍ତି ଏହି ଘଟଣାରେ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, NIA ଚାହିଁଲେ ସବୁ ପ୍ରକାର ସହଯୋଗ ଯୋଗାଇ ଦିଅାଯିବ। ଓଡ଼ିଶା STF ବର୍ତ୍ତମାନ NIA ସଂପର୍କରେ ରହିଛନ୍ତି। ହବିବୁର ସଂପର୍କରେ ଅାବଶ୍ୟକ ପଡ଼ିଲେ ଖୋଳତାଡ଼ କରିବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଡିଜିପି ଇନଚାର୍ଜ  ସତ୍ୟଜିତ ମହାନ୍ତି।

You might also like