ରାଜ୍ୟରେ ନୂଆ ବିଦ୍ୟୁତ ଯୋଜନାକୁ ନେଇ ରାଜନୀତି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଉଜାଲା ଯୋଜନାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ‘ଆମ ଘରେ ଏଲ୍ଇଡି ଲାଇଟ୍’ ନାଁରେ ଆରମ୍ଭ କରିଛନ୍ତି ଏକ ନୂଆ ସ୍କିମ୍। ଏହି ନୂଆ ବିଦ୍ୟୁତକରଣ ଯୋଜନା ପାଇଁ ଏଥର ବଜେଟ୍ରେ ୧୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଗରିବ ଭୋଟରଙ୍କୁ ନିଜ ପଟକୁ ଢଳେଇବାକୁ ନବୀନ ଏହି ସ୍କିମ୍ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଏଲଇଡି ବଲବ୍ ସ୍କିମ୍କୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।
ଏହି ନୂଆ ଯୋଜନା ମାଧ୍ୟମରେ ପ୍ରତି ଗରିବ ପରିବାରକୁ ମାଗଣାରେ ୪ଟି ଏଲଇଡି ବଲ୍ବ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍ୱଳ୍ପ ବିଦ୍ୟୁତ୍ ଉପଯୋଗ ପାଇଁ ଏହି ସ୍କିମ୍ ଆରମ୍ଭ ହୋଇଛି ବୋଲି ବିଜେଡି କହିଛି। ମୋଦି ସରକାର ଜାନୁଆରୀ ୨୦୧୫ରେ ଆଣିଥିବା ଉଜାଲା ଯୋଜନା ମୁତାବକ ଏବେ ସମସ୍ତଙ୍କୁ ଏଲ୍ଇଡି ବଲ୍ବ ୭୦ ଟଙ୍କାରେ ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନା ଜରିଆରେ କେନ୍ଦ୍ରର ବିଜେପି ସରକାର ଘରେ ଘରେ ପହଞ୍ଚି ଯାଉଥିବା ଅନୁଭବ କରି ତାର କାଉଣ୍ଟର ପାଇଁ ନବୀନ ଆଣିଛନ୍ତି ଏଲ୍ଇଡି ଆଲୁଅ ସ୍କିମ୍, ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି।
ଉଜାଲା ଯୋଜନାରେ ଓଡ଼ିଶାରେ ଏବେ ସୁଦ୍ଧା ୧ କୋଟି ୨୬ ଲକ୍ଷ ୮୫ ହଜାର ଏଲ୍ଇଡି ବଲ୍ବ ବଣ୍ଟା ହୋଇଛି। କିନ୍ତୁ ରାଜ୍ୟର ସ୍କିମ୍ ଅନୁଯାୟୀ କେବଳ ଗରିବ ପରିବାରକୁ ଏହା ମିଳିବାର ଯୋଜନା ଥିଲା ବେଳେ ଗରିବୀର ଆଧାର କ’ଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ଏଲ୍ଇଡି ଲାଇଟ୍କୁ ନେଇ ରାଜ୍ୟରେ ଦୁଇଟି ସ୍କିମ୍ କାର୍ଯ୍ୟକାରୀ ହେଲେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିବ। ତେଣୁ ଏନେଇ ଗାଇଡ୍ ଲାଇନ୍ ଆଣିବାକୁ ଦାବି କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ।