HRMS ତ୍ରୁଟିରୁ ଚାକିରିଅା ହନ୍ତସନ୍ତ

ଭୁବନେଶ୍ୱର : ଆର୍ଥିକ ବର୍ଷ ଆରମ୍ଭରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଝଟ୍‌କା। ମାର୍ଚ୍ଚ ସରି ଏପ୍ରିଲ ହେଲାଣି, ନା ମିଳୁଛି ଦରମା ନା ମୋବାଇଲ୍‌କୁ ଆସୁଛି କୌଣସି ମେସେଜ୍। ସାଧାରଣତଃ ମାସର ୩୦ କିମ୍ବା ୩୧ ନଚେତ୍ ପ୍ରଥମ ସପ୍ତାହ ସୁଦ୍ଧା ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିଯାଇଥାଏ।

ହେଲେ ଆଜିକୁ ୨ ସପ୍ତାହ ବିତିଗଲାଣି ସିନା ମାର୍ଚ୍ଚ ମାସର ଦରମା ଆସିବାର ନାଁ ଗନ୍ଧନାହିଁ। ଫଳରେ ୪ ଲକ୍ଷ ୫୦ହଜାର ସରକାରୀ କର୍ମଚାରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଆଶା କରିଛନ୍ତି ଖୁବ୍‌ଶୀଘ୍ର ଦରମା ମିଳିଯିବ। ଏହି ବ୍ୟତିକ୍ରମକୁ କିନ୍ତୁ ଭିନ୍ନଦୃଷ୍ଟିରେ ଦେଖୁଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ।

ତେବେ ରାଜ୍ୟ ସରକାରଙ୍କ କହିବା ମୂତାବକ ହ୍ୟୁମାନ ରିସୋର୍ସେସ୍ ମ୍ୟାନେଜମ୍ୟାଣ୍ଟ ସିଷ୍ଟମ ତଥା ଏଚ୍‌ଆର୍‌ଏମ୍‌ଏସ୍ ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିଜୁଳି ଆଉ ଘଡ଼ଘଡ଼ି ମାରିବା ଯୋଗୁଁ କର୍ମଚାରୀଙ୍କ ଦରମା ସମ୍ବନ୍ଧୀୟ ଡାଟାବେସ୍ ରହିଥିବା ସର୍ଭରଟି ଜଳିଯାଇଥିଲା। ବର୍ତ୍ତମାନ ଏହି ତ୍ରୁଟିକୁ ସୁଧାରିଦିଆଯାଇଛି। ଖୁବ୍‌ଶୀଘ୍ର କର୍ମଚାରୀଙ୍କୁ ଦରମା ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

ଏସବୁ ଭିତରେ ଏବେ ଅପେକ୍ଷା। କେବେ ଦୂର ହେଉଛି ଟେକ୍ନିକାଲ ପ୍ରୋବଲେମ୍। ଆଉ କେବେ ମିଳୁଛି ସରକାରୀ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମା।

You might also like
Comments
Loading...