ଶିକ୍ଷାନୁଷ୍ଠାନ ଭଲ ମଣିଷ ଗଢ଼ିବା ଉପରେ ଧ୍ୟାନ ଦିଅନ୍ତୁ : ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ପାରାଦୀପ : ସଂସ୍କାର ଓ ମୂଲ୍ୟବୋଧ ଠାରୁ ଦୂରେଇ ଯାଉଛି ଶିକ୍ଷା। ତେଣୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ। ଶିକ୍ଷାନୁଷ୍ଠାନମାନେ ଶିକ୍ଷାଦାନ ସହ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ିବା ଉପରେ ଧ୍ୟାନ ଦେବା ଦରକାର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଜନତା ବିଦ୍ୟାପୀଠ, ଝିମାଣୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗ ଦେଇ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଅଭିଭାବକ ଓ ପିଲାମାନେ ଦରମା ବଦଳରେ ବାର୍ଷିକ ପ୍ୟାକେଜ୍ ପଛରେ ଗୋଡ଼ାଣିଆ ହେବ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ପ୍ରାକ୍ତନ ଛାତ୍ର ବିଭୂପ୍ରସାଦ ତରାଇ, ଜଗତସିଂହପୁର ଶିକ୍ଷା ଜିଲ୍ଲାର ବିଜ୍ଞାନ ପରିଦର୍ଶକ ସୁବାସ ରାଉତ, ପାରାଦୀପ ପୋର୍ଟ ଟ୍ରଷ୍ଟର ଅର୍ଥ ବିଭାଗ ମୁଖ୍ୟ ସୁରେନ୍ଦ୍ର ସାହୁ, ପିପିଏଲ‌ ମାନବ ସମ୍ୱଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସଭାରେ ପୁରାତନ ଛାତ୍ର ସଂସଦ ସଂପାଦକ ତପନ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ପୀତାମ୍ୱର ତରାଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାରାଦୀପ ବିଧାୟକ ଦାମୋଦର ରାଉତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ କୁଳମଣି ସାମଲ। ପୁରାତନ ଛାତ୍ର ସଂସଦ ସଭାପତି ପ୍ରଭାସ ରଂଜନ ପାଣି ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପାରାଦୀପ କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ସ୍କୁଲର ମାଗାଜିନ‌ ‘ପୁନର୍ନବା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ସତ୍ୟାନନ୍ଦ ପଣ୍ଡାଙ୍କ ପ୍ରତିମୂର୍ତ୍ତ  ଉନ୍ମୋଚନ କରାଯାଇଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟର କୃତୀ ଛାତଛାତ୍ରୀଙ୍କୁ ସ୍କଲାରସିପ‌ ପ୍ରଦାନ ପାଇଁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସୂତାରଙ୍କୁ ପ୍ରଦାନ କରାଯାଇଥିଲା।

ଦ୍ୱିତୀୟ ଦିବସରେ ବିପିୟୁଟି କୁଳପତି ଓମକାର ନାଥ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ପ୍ରଫେସର ନଟବର ଶତପଥୀ , ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଆର୍.ପ୍ରକାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ୫୦ ବର୍ଷର ମାଟ୍ରିକ‌ ଟପ୍ପରମାନଙ୍କୁ ସମ୍ମାନିତ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରି ସ୍କୁଲ‌ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଅଦୈତ ଚରଣ ସ୍ୱାଇଁଙ୍କ ସମେତ ପୁରାତନ ଶିକ୍ଷକମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାୟାଧର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉତ୍ସବର ବିଭିନ୍ନ ଦିବସରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ହାସ୍ୟକବି ସତ୍ୟାନାଶ, ଗ୍ରେଟ୍‌ ଓଡ଼ିଶା ପଲିଟିକାଲ ସର୍କସ ଅଭିନେତା ବିଭୂପ୍ରସାଦ ମିଶ୍ର ଓ ଅଜୟ କୁମାର ନାୟକ। ଏହି ଅବସରରେ ସ୍କୁଲର ପୁରାତନ ଛାତ୍ରମାନଙ୍କ ଦ୍ୱାରା ସକାଳେ ରକ୍ତଦାନ ଶିବିର ଓ ସଂଧ୍ୟାରେ ନାଟକ ‘ଏମିତି ଭୁଲ‌ ହେବ ନାହିଁ’ ମଞ୍ଚସ୍ଥ ହୋଇଥିଲା।

You might also like