ମ୍ୟୁଜିଅମ୍ରୁ ସୁନା ଟିଫିନ୍ ବାକ୍ସ ସମେତ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ସାମଗ୍ରୀ ଚୋରି
ହାଇଦ୍ରାବାଦ: ହାଇଦ୍ରାବାଦ ନିଜାମ୍ ମ୍ୟୁଜିଅମ୍ରୁ ଚୋରି। ହାଇଦ୍ରାବଦ ପୁରୁଣା ହାଭେଲି ସ୍ଥିତ ଏହି ମ୍ୟୁଜିଅମ୍ରୁ ସୁନା ଟିଫିନ୍ ବାକ୍ସ (ଯାହାର ଓଜନ ୨ କି.ଗ୍ରା.), ହୀରା ଖଚିତ କପ୍, ପ୍ଲେଟ୍ ଓ ଚାମଚ୍ ସମେତ ଅନେକ କଳାକୃତି ଯାହାକି ନିଜାମ୍ ଯୁଗର ବୋଲି କୁହାଯାଉଛି ସବୁ ଚୋରି ହୋଇଯାଇଛି। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଆକଳନ କରାଯାଉଛି।
ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ମ୍ୟୁଜିୟମ୍ର ଲୁହା ଗ୍ରିଲ୍ ଭାଙ୍ଗି ପ୍ରଥମ ମହଲାରେ ପ୍ରବେଶ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ମ୍ୟୁଜିଅମ୍ର ସୁରକ୍ଷାକର୍ମୀ ପୁଲିସ୍କୁ ଅବଗତ କରାଇଛନ୍ତି। ହାଇଦ୍ରାବାଦ ପୁଲିସ୍ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଚୋରି ହୋଇଥିବା ଜିନିଷ ସବୁ ୭ମ ନିଜାମ୍ଙ୍କର ବୋଲି ଜଣାପଡ଼ିଛି। ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଚାଲିଛି।