ପ୍ରେମିକଙ୍କ ଘର ଆଗରେ ୩ଟି ବାଇକ୍‌ ଜାଳିଦେଲେ ପ୍ରେମିକା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁନାପଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ୍‌କୁ ଜଣେ ଯୁବତୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସୁନାପଙ୍ଗାର ଦିଲୀପ କୁମାର ନାୟକଙ୍କ ପୁଅଙ୍କର କେ.ନୂଆ ଗାଁ ବ୍ଲକ୍‌ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ହେଲେ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା। ସେମାନଙ୍କ ସଂପର୍କରେ ଫାଟ ଦେଖା ଦେଇଥିଲା। ଗତକାଲି ବିଳମ୍ୱିତ ରାତିରେ ଯୁବତୀ ଜଣକ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକକୁ ପୋଡ଼ି ଦେଇଥିଲେ। ଯୁବତୀ ଜଣକ ବାଇକ୍‌ ପୋଡ଼ି ପଳାଇ ଯାଉଥିବା ବେଳେ ଯୁବକଙ୍କ ପରିବାର ଲୋକେ ଦେଖିଥିବା କହିଛନ୍ତି। ଖବର ପାଇ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ବାଇକ୍‌ରେ ନିଆଁ ଲଗାଇ ଦେଇଥିବା ଯୁବକଙ୍କ ପରିବାର ଲୋକେ କହିଛନ୍ତି। ଏନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

You might also like