ବଲାଙ୍ଗିର ଜିଲ୍ଳାର ଗିଫ୍ଟ ପ୍ୟାକେଟ୍ ବିସ୍ଫୋରଣ ଘଟଣା : ପାର୍ସଲ ବୋମାଟି ରାୟପୁରରୁ ଆସିଥିବା ପୋଲିସର ସୂଚନା
ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଚାଲିଛି। ଗତକାଲି ଅାସିଥିବା ଏହି ପାର୍ସଲ ବୋମାଟି ରାୟପୁରରୁ ଅାସିଥିବା ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିଅର ଦ୍ୱାରା ଏହା ରାୟପୁରରୁ ଅାସିଥିବା କଥା ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ କୋରିଅର ପକ୍ଷରୁ ପୋଲିସରେ ସୂଚନା ଦିଅାଯାଇଛି।
ବୋମା ଭର୍ତ୍ତି ଏହି ପାର୍ସଲର ଓଜନ ଥିଲା ୨ କିଲୋ ୧୦ ଗ୍ରାମ। ଏହି ସୁରାକ୍ ମିଳିବା ପରେ ବୋମା ପାର୍ସଲକାରୀଙ୍କ ନିକଟରେ ପହଞ୍ଚିବା ଲାଗି ଉଦ୍ୟମ କରୁଛି ପୋଲିସ। ଘଟଣାର ତଦନ୍ତ କରୁଥିବା ବଲାଙ୍ଗିର ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ ଅାଜି ବାହାରକୁ ଯାଇଛି। ଭୋଳାନାଥ ପଡ଼ାର ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ପରେ, ଗତକାଲି ପାର୍ସଲରେ ଅାସିଥିବା ଏକ ଗିଫ୍ଟ ପ୍ୟାକ୍ ଖୋଲୁଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟଖେଶର ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ନବବିବାହିତ ପତ୍ନୀ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।