ରସଗୋଲାକୁ ଜିଅାଇ ମାନ୍ୟତା ପ୍ରସଙ୍ଗ: କେବେ ସରିବ ସରକାରଙ୍କ ତଥ୍ୟ ସଂଗ୍ରହ

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପାଖେ ଲାଗି ହେଲା ରସଗୋଲା। ନିଳାଦ୍ରୀ ବିଜେର ଏ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲିଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏ ପରମ୍ପରା ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ଓଡ଼ିଶା। ଏପଟେ ରସଗୋଲାକୁ ନେଇ ପାହାଳରେ ପାଳନ ହେଇଛି ରସଗୋଲା ଦିବସ। ଏଠାରେ ଯୋଗ ଦେଇଛନ୍ତି ମନ୍ତ୍ରୀ ,ବିଧାୟକ, ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତି। ହେଲେ କାହା ମନରେ ଅନୁଶୋଚନା ନାହିଁ  ଯେ, ଓଡ଼ିଶା ରସଗୋଲାକୁ ଏପର୍ଯ୍ୟନ୍ତ ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ମାନ୍ୟତା ମିଳିପାରିଲାନାହିଁ।

ବାଦବିବାଦ ଓ ସମାଲୋନା ପରେ ରାଜ୍ୟ ସରକାର ଗଠନ କରିଥିଲେ ତ୍ରିସ୍ତରୀୟ କମିଟି। ତଥ୍ୟ ପ୍ରମାଣ ଯୋଗାଡ଼ ବି ହେଲା। ଆଉ ସରକାର ଜିଆଇ ମାନ୍ୟତା ପାଇଁ ଫେବୃଆରୀ ୨୩ରେ ଆବେଦନ ବି କଲେ। ହେଲେ ଦୁର୍ବଳ ଯୁକ୍ତି ପାଇଁ ଜିଆଇ କର୍ତ୍ତୃପକ୍ଷ ପୁଣି ୧୪ ଟି ପ୍ରଶ୍ନକୁ ନେଇ ସରକାରଙ୍କ ପାଖରୁ  ସ୍ଫଷ୍ଟୀକରଣ ମାଗିଲେ। ଡେଡ୍‌ଲାଇନ ଥିଲା ଜୁଲାଇ ୨୨ କିନ୍ତୁ ବିଡମ୍ବନା ହେଉଛି ସରକାରଙ୍କ ତଥ୍ୟ ପ୍ରମାଣ ଯୋଗାଡ଼ ସରିଲାନାହିଁ। ତେଣୁ ଆଉ ଗୋଟିଏ ମାସ ସମୟ ଦେବାକୁ ଏବେ ସରକାର ଅନୁରୋଧ କରିଛନ୍ତି।

ପଶ୍ଚିମବଙ୍ଗର ନବୀନ ଚନ୍ଦ୍ର ଦାସ ରସଗୋଲାର ଉଦ୍ଭାବକ ବୋଲି ଦାବି କରି ଗତ ବର୍ଷ ନଭେମ୍ବର ୧୪ରେ ବାଲାଂ ରସଗୋଲର ଜିଆଇ ମାନ୍ୟତା ପାଇସାରିଛି। ଓଡ଼ିଶା ଦାବି କରୁଛି  ଦ୍ୱାଦଶ ଶତାଦ୍ଦୀରୁ ନିଳାଦ୍ରୀ ବିଜେରେ ଜଗନ୍ନାଥଙ୍କ ପାଖେ ରସଗୋଲା ଭୋଗ ଲାଗୁଛି। ସଂସ୍କୃତି ଗବେଷକ ଅସିତ ମହାନ୍ତି ପଞ୍ଚଦଶ ଶତାଦ୍ଦୀରେ ଦାଣ୍ଡି ରାମାୟଣରେ ରସଗୋଲାର ବ୍ୟବହାର ନେଇ ପ୍ରମାଣ ଯୋଗାଡ଼ କରିଛନ୍ତି। ଏହାସହ ୧୦୦ ପୃଷ୍ଠାର ତଥ୍ୟ ସମ୍ବଳିତ ପୁସ୍ତକ ୨୦୧୬ରେ ସରକାରଙ୍କୁ ଦେଇଥିଲେ। ତଥାପି ରସଗୋଲା ଯେ ଓଡ଼ିଶାର ସେ ନେଇ ସରକାରଙ୍କ ତଥ୍ୟ ଯୋଗାଡ଼ ସରୁନି।

ଏପଟେ ରସଗୋଲାକୁ ଜିଆଇ ମାନ୍ୟତା ଦାବିରେ ସରକାରଙ୍କ ଉଦ୍ୟମ ଓ ଦାୟିତ୍ୱବୋଧକୁ ଦାୟୀ କରି ସମାଲୋଚନା କରିଛନ୍ତି ବିରୋଧୀ। ପଶ୍ଚିମବଙ୍ଗକୁ ରସଗୋଲା ବାଂଲା ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏବେ ପ୍ରଶ୍ନ ଆସନ୍ତା ନୀଳାଦ୍ରି ବିଜେ ବେଳକୁ ସ୍ଥିତି ବଦଳିଥିବ ନା ପଶ୍ଚିମବଙ୍ଗ ରସଗୋଲାର ଏକମାତ୍ର ଦାବିଦାର ହୋଇ ରହିଥିବ।

You might also like