ଜେଲ୍ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
କଟକ : ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ।ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ, ଦାଦାବଟି ମାମଲାରେ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା, ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି।
ପ୍ରତି ସପ୍ତାହରେ ଲିଙ୍ଗରାଜ ଟେମ୍ପଲ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେଥିପାଇଁ ଜାମିନରେ ସର୍ତ୍ତ ରହିଛି। ରାଜାଙ୍କ ଓକିଲଙ୍କ ଅନୁସାରେ, ତାଙ୍କ ବିରୋଧରେ ଆଉ କୌଣସି ମାମଲା ନଥିବାରୁ ଜାମିନ ମିଳିବା ବାଟ ଖୋଲିଯାଇଛି।
ପୂର୍ବରୁ ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ଆଜୀବନ ସଜାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଜାମିନ ଆବେଦନ କରିଥିଲେ। ରାଜା ଆଜୀବନ ସଜାକୁ ନେଇ ଚ୍ୟାଲେଞ୍ଜ କରିଥିବା ଅପିଲର ଶୁଣାଣି କରି ରାଜାଙ୍କୁ ମିଳିଛି ଏହି ଜାମିନ୍। ପୂର୍ବରୁ ଏହି ମାମଲାରେ ରାଜାଙ୍କୁ ଜାମିନ ମିଳିବା ସମ୍ଭାବନା ଥିବାବେଳେ, ସେତେବେଳେ ଜ୍ୟୋତି ମୋଟର୍ସ ମାମଲା ଜାମିନରେ ବାଧକ ସାଜିଥିଲା। ତେବେ ବର୍ତ୍ତମାନ ଜାମିନ ମିଳିଥିବାରୁ ଜେଲରୁ ବାହାରିବା ସମ୍ଭାବନା ରହିଛି।
ଏପଟେ ରାଜାକୁ ଜାମିନ, ଆଉ ଅପରପଟେ ବଢିଲା ଜୁଡୋ କୋଚ୍ ବିରଞ୍ଚ ଦାସଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ସମସ୍ୟା। ରାଜାଙ୍କ ଜାମିନ ପରେ ନିଜ ତଥା ନିଜ ପରିବାର ପ୍ରତି ବିପଦ ଥିବା ଆଶଙ୍କା କରି ପୋଲିସ କମିସନରକୁ ଜଣାଇବେ ବୋଲି କହିଛନ୍ତି ଗୀତାଞ୍ଜଳି। ବର୍ତ୍ତମାନ କମିଶନରେଟ ପୋଲିସ ପକ୍ଷରୁ ଗୀତାଞ୍ଜଳିଙ୍କୁ ଗୋଟିଏ ପିଏସଓ ଦିଆଯାଇଛି। ଗତ କିଛି ଦିନ ତଳେ ତାଙ୍କ ପୁତୁରାଙ୍କୁ କିଛି ଦୁର୍ବୁତ୍ତ ଧମକ ଦେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି ଗୀତାଞ୍ଜଳି।
୧୩ ଏପ୍ରିଲ ୨୦୦୮ ଲଭ, ଗ୍ଲାମର ଏବଂ ପ୍ରତିଶୋଧ ପାଇଁ ଜୁଡୋ କୋଚ ବିରଞ୍ଚି ଦାସଙ୍କୁ ଜୁଡୋ ହଲ ଭିତରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ରାଜା ଗୋଆର ପାନାଜୀ କୋର୍ଟରେ ସରେଣ୍ଡର କରିଥିଲା।