ଓଡ଼ିଶା ସହ ବାଜପେୟୀଙ୍କର ଥିଲା ଘନିଷ୍ଠ ସମ୍ପର୍କ

ଭୁବନେଶ୍ୱର : ବାଜପେୟୀ ସିନା ଇହଧାମରେ ନାହାନ୍ତି, ହେଲେ ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ସହ ଥିବା ତାଙ୍କର ସଂପର୍କ କିନ୍ତୁ ଅଭୂଲା ହୋଇ ରହିବ। ୧୯୯୯ ମହାବାତ୍ୟା ଭଳି ସଙ୍କଟ ବେଳ ହେଉ ଅବା ମେଣ୍ଟ ରାଜନୀତି, ସବୁଠି ବାଜପେୟୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱର ଏମ୍‌ସ ହେଉ କି ପାରାଦୀପରେ ଅାଇଓସିଏଲ୍‌ ନିର୍ମାଣ ବାଜପେୟୀ ଥିଲେ ତାର ମୁଖ୍ୟ ବିନ୍ଧାଣୀ। ଏମିତିକି ମେଣ୍ଟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଥିଲା ଅତ୍ୟନ୍ତ ଘନିଷ୍ଠ।

୧୯୯୯ ଅକ୍ଟୋବର ୨୯ର ପ୍ରଳୟଙ୍କରୀ ମହାବାତ୍ୟାରେ ଧ୍ୱଂସବିଧ୍ୱସ୍ତ ହେଲା ଓଡିଶା। ରାଜ୍ୟର ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଥିବା ବାଜପେୟୀ ନଭେମ୍ବର ୫ରେ ଓଡ଼ିଶା ଅାସି ବାସ୍ତବ ସ୍ଥିତି ପରଖିଥିଲେ। ମହାବାତ୍ୟାର କରାଳରୂପ ଦେଖିବା ପରେ ଘୋଷଣା କରିଥିଲେ ୨୫୦ କୋଟି ଟଙ୍କାର ପ୍ୟାକେଜ୍।

ଓଡ଼ିଶାର ପ୍ରଗତିରେ ବି ଅଟଳଙ୍କ ଅବଦାନ ଅତୁଳନୀୟ। ୨ ହଜାର ମସିହା ମେ ୨୫ରେ ପାରଦୀପ ଠାରେ ଅାଇଓସିଏଲ୍ ପ୍ରକଳ୍ପର ଶିଳାନ୍ୟାସ ଓ ୨୦୦୨ ଜୁଲାଇ ୧୫ ଭୁବନେଶ୍ୱର ସିଜୁଅା ଠାରେ ଏମସ୍ ପାଇଁ ଶୁଭ ଦେଇଥିଲେ ବାଜପେୟୀ। ୨୦୦୩ ଏପ୍ରିଲ ୧ରେ  ଇଷ୍ଟକୋଷ୍ଟ ରେଲ୍ୱେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାରେ ଥିଲା ବାଜପେୟୀଙ୍କର ଅବଦାନ।

କେବଳ ସେତିକି ନୁହେଁ ବିରୋଧୀ ଦଳରେ ଥିଲାବେଳେ ସବୁଠୁ ଅନୁନ୍ନତ ଓ ପଛୁଅା ଅଂଚଳ ଭାବେ ପରିଚିତ କେବିକେକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ସଂସଦରେ ପ୍ରସ୍ତାବ ରଖିଥିଲେ ଅଟଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ଅତି ଘନିଷ୍ଠ ସଂପର୍କ ଥିଲା ବାଜପେୟୀଙ୍କର। ସେଥିପାଇଁ ବିଜୁବାବୁଙ୍କ ଦେହାନ୍ତ ବେଳେ ସେ ଓଡ଼ିଶା ଅାସି ଶେଷ ଦର୍ଶନ କରିଥିଲେ। କୁହାଯାଏ ବିଜୁ ଜନତା ଦଳ ଗଠନ ବେଳେ ବାଜପେୟୀ ପରାମର୍ଶଦାତା ଭୂମିକା ନିର୍ବାହ କରିଥିଲେ। ଏ

ଏନଡିଏରେ ବିଜେଡିକୁ ସାମିଲ କରିବାରେ ବି ତାଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଅାଉ ବାଜପେୟୀ କେନ୍ଦ୍ରରେ ସରକାର ଗଢ଼ିବା ପରେ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ଖଣି ଇସ୍ପାତ ମନ୍ତ୍ରଣାଳୟ। କୁହାଯାଏ ନବୀନଙ୍କ ପଲିଟିକାଲ୍ କ୍ୟାରିୟର୍ ଗଢ଼ିବା ପଛରେ ଯେଉଁ କେତେ ଜଣ ଜାତୀୟସ୍ତରର ରାଜନେତାଙ୍କ ହାତ ରହିଛି ତାମଧ୍ୟରୁ ବାଜପେୟୀ ଅନ୍ୟତମ।

ଓଡିଶାରେ ବିଜେପିର ସଙ୍ଗଠନ ମଜଭୁତ୍ ପାଇଁ ବାଜପେୟୀ ଅନେକଥର ଓଡିଶା ଅାସିଥିଲେ।  ୧୯୮୧ରେ ରାଉରକେଲା ଅାସି ସଙ୍ଗଠନ କଥା ବୁଝିଥିଲେ। ୧୯୯୯ରେ ପୁଣି କ୍ଷମତାକୁ ଅାସିବା ପରେ  ପ୍ରଥମ ଥର ପାଇଁ କେନ୍ଦ୍ର ସରକାରରେ ଅାଦିବାସୀ ମନ୍ତ୍ରାଳୟ ସୃଷ୍ଟି କରି ଜୁଏଲ୍ ଓରାମ୍‌ଙ୍କୁ ସେହି ବିଭାଗ ଦାୟିତ୍ୱ ଦେଇଥିଲେ। ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦେବେନ୍ଦ୍ର ପ୍ରଧାନ ବି ବାଜପେୟୀଙ୍କ ପ୍ରଶଂସାରେ ଶତମୁଖ।

ଏନଡିଏ କ୍ଷମତାରେ ଥିବାବେଳେ ନବୀନ ପଟ୍ଟନାୟକ, ଅର୍ଜୁନ ସେଠୀ, ବ୍ରଜ କିଶୋର ତ୍ରିପାଠୀ, ଦେବେନ୍ଦ୍ର ପ୍ରଧାନ, ଦିଲୀପ ରାୟ ପ୍ରମୁଖ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ।

You might also like