ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ତାଙ୍କୁ ଜୀବନରକ୍ଷକ ବା ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ଏନେଇ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ଏମ୍‌ସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି।

୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗତ ୨୪ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି।

ଏ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ସ ଯାଇ ତାଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଆଜି ସକାଳୁ ଏମ୍‌ସରେ ଯାଇ ପହଞ୍ଚିଛନ୍ତି।

ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଓ ବିଜେପି ସାଂସଦ ମିନାକ୍ଷୀ ଲେଖି, କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ବିଜେପି ନେତା ଏମ୍‌ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।  ଦିଲ୍ଲୀ ଏମ୍‌ସ  ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟାଙ୍କ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି।

ବାଜପେୟୀ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଏପରିକି ସେ ଚଳତ୍‌ଶକ୍ତି ଶୂନ୍ୟ ପ୍ରାୟ ହୋଇଯାଇଥିଲେ।

୨୦୦୯ ମସିହାରୁ ସେ ସାଧାରଣ ଜୀବନ ଯାତ୍ରାରୁ ଦୂରେଇ ରହିଛନ୍ତି। ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନି।

୨୦୦୯ ମସିହାରେ ନାଗପୁରରେ ଏକ ଦଳୀୟ ମିଟିଂ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୪୮ଘଣ୍ଟା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତା’ପରଠୁ ସେ ସାଧାରଣ ଜୀବନ ଯାତ୍ରାରୁ ଦୂରେଇ ଯାଇଥିଲେ।

୧୯୯୬ ମସିହାରେ ସେ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ୧୯୯୮ ମସିହାରେ ୧୩ ମାସ ଓ ୧୯୯୯ ମସିହାରେ ପ୍ରାୟ ୬ମାସ ପାଇଁ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ।

You might also like