ଖାଲରୁ ଉଦ୍ଧାର ହେବା ପରେ ଫରେଷ୍ଟରଙ୍କ ଏମିତି ଅବସ୍ଥା କଲା ହାତୀ

ତେଲକୋଇ: ଧାନ ଖାଇବାକୁ ଆସିଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ଯାଇଥିଲେ ଦୁଇଟି ହାତୀ। ସେଥିରୁ ଗୋଟିଏ ବାହାରି ପଳାଇ ଯାଇଥିବା ବେଳେ ଆଉ ଗୋଟିଏ ରହି ଯାଇଥିଲା।

ବନ କର୍ମଚାରୀମାନେ ହାତୀଟିକୁ ସେଠାରୁ ଉଦ୍ଧାର କରି ଥିଲେ। କିନ୍ତୁ ଖାଲରୁ ଉଦ୍ଧାର ହେବା ପରେ ହାତୀଟି ଫରେଷ୍ଟରଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଓ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନରେ ଥିବା ସିଂଗପୁର ଗାଁରେ ଏହି ଘଟଣାଟି ଘଟିଛି । ଆହତ ଫରେଷ୍ଟରଙ୍କ ନାଁ ଟିକାୟତ ମହାନ୍ତ।

ସୂଚନା ଅନୁସାରେ, ପ୍ରାୟ ୧୪ଟି ହାତୀ ଧାନ ଫସଲ ଖାଇବାକୁ ଜଙ୍ଗଲରୁ ଚାଲି ଆସିଥିଲେ। ଜମି ନିକଟରେ ଥିବା ଏକ ବଡ଼ ପାଣି ଭର୍ତ୍ତି ଖାଲରେ ଦୁଇଟି ହାତୀ ପଡ଼ିଯାଇଥିଲେ। ଏନେଇ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ବାଂଶପାଳ ଦମକଳ ବାହିନୀ ହାତୀକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ସମୟରେ ଗୋଟିଏ ହାତୀ ଖାଲରୁ ବାହାରି ପଳାଇ ଯାଇଥିଲା। ତେବେ ଆଉ ଗୋଟିଏ ରହି ଯାଇଥିଲା। ୩ଘଣ୍ଟା ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇଥିଲା।

ଖାଲରୁ ଉଦ୍ଧାର ହେବା ପରେ ହାତୀଟି ଜଙ୍ଗଲ ଆଡ଼କୁ ଦୌଡ଼ିବାକୁ ଲାଗିଥିଲା।  ଏତିକି ବେଳେ ଫରେଷ୍ଟର ଟିକାୟତ ମହାନ୍ତ ତା’ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ  ଶୁଣ୍ଢରେ କଚାଡ଼ି ଦେଇ ପଳାଇ ଯାଇଥିଲା।

 

You might also like