ବାଣ ମାର୍କେଟରେ ନିଆଁ
ବ୍ରହ୍ମପୁର: ବ୍ରହ୍ମପୁର ଅନ୍ଧପସରା ସ୍ଥିତ ବାଣ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବାଣ ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ସ୍ଥାନୀୟ ଲୋକେ ବାଣ ମାର୍କେଟର ଏକ ଦୋକାନରୁ ହଠାତ ଧୂଆଁ ବାହାରିବା ସହ ବାଣ ଫୁଟିବା ଶବ୍ଦ ଶୁଣିଥିଲେ। ସାଙ୍ଗେସାଙ୍ଗେ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।
ପରେ ଘଟଣାସ୍ଥଳରେ ୪ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଦୋକାନ ବନ୍ଦ ରହିବା ସହ ଭିତରେ ବାଣ ଫୁଟୁଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ପ୍ରାୟ ୨ଘଣ୍ଟା ଧରି କସରତ କରିବାକୁ ପଡିଥିଲା।
ପରେ ତାଲା ଭାଙ୍ଗି ନିଆଁକୁ ଆୟତ୍ତ କରାଯାଇଥିଲା। ମାର୍କେଟରେ ପ୍ରାୟ ୫୨ଟି ଦୋକାନ ରହିଛି। ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ସେପଟେ ବାଣ ମାର୍କେଟରେ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆ ଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମାର୍କେଟରେ ନିଆଁ ଲାଗି ଅନେକ ଲୋକଙ୍କ ଜୀବନ ଯାଇଥିଲା।