କ୍ରିଷ୍ଟାଲ ଟାୱାର ଅାପାର୍ଟମେଣ୍ଟରେ ଅଗ୍ନିକାଣ୍ଡ
ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ, ୧୬ରୁ ଅଧିକ ଅାହତ
ମୁମ୍ବାଇ : ମୁମ୍ବାଇରେ ଏକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୪ ମୃତ, ୧୬ରୁ ଅଧିକ ଅାହତ। ଅାଜି ସକାଳେ କେନ୍ଦ୍ର ମୁମ୍ବାଇର ପରେଲରେ ଥିବା କ୍ରିଷ୍ଟାଲ ଟାୱାର ଅାପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା। ବିଲଡିଂର ଦ୍ୱାଦଶ ମହଲାରେ ଏହି ନିଆଁ ଲାଗିଥିଲା।
ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ତୁରନ୍ତ ୮ଟି ଦମକଳ ବାହିନୀ, ୪ଟି ୱାଟର ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ତୁରନ୍ତ ବିଲଡିଂକୁ ଖାଲି କରାଯାଇଥିଲା। ଏହା ପରେ ବିଲଡିଂ ଭିତରେ ଫସିରହିଥିବା ଲୋକଙ୍କୁ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ଉଦ୍ଧାର କରିଥିଲେ।
ନିଆଁକୁ ସମ୍ପୂର୍ଣ୍ଣ ଅାୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏହାକୁ ଲେବଲ୍-୨ ଅଗ୍ନିକାଣ୍ଡର ଶ୍ରେଣୀଭୁକ୍ତ କରାଯାଇଛି। ଗତବର୍ଷ ମଧ୍ୟ ଡିସେମ୍ବରରେ ସେଣ୍ଟ୍ରାଲ ମୁମ୍ବାଇର ଏକ ବିଲଡିଂରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।