ଦିବ୍ୟାଙ୍ଗ ଯୁବକଙ୍କୁ ଗାଳିଦେଇ ଅଡ଼ୁଅାରେ ବିଧାୟକ ଦିବ୍ୟଶଙ୍କର

ଭବାନୀପାଟଣା: ଅଡ଼ୁଅାରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। ତାଙ୍କ ଗିରଫ ଦାବିରେ ଧର୍ମଗଡ଼ ଥାନାରେ ଏତଲା ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେନ୍‌ର ଏକ ସଭାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଟଙ୍କଧର ଖର୍ସେଲ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ଧମକାଇବା ଅଭିଯୋଗକୁ ନେଇ ଏହି ମାମଲା ହୋଇଛି। ଅାଜି ଟଙ୍କଧର କଳାହାଣ୍ଡି ଜିଲ୍ଲା ଯାଦବ ସଂଘ ସହ ଏକ ରାଲିରେ ଧର୍ମଗଡ ଥାନାକୁ ଅାସି ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି।

ବିଧାୟକ ଦିବ୍ୟଶଙ୍କର ମିଶ୍ର ଗତକାଲି ବୋଡେନ୍‌ରେ ଏକ ସମବାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିିଲେ। ବିଧାୟକ ବିଜେଡି ଶାସନର ସଫଳତା କହିବା ସମୟରେ ମଞ୍ଚ ତଳେ ବସିଥିବା ଇଚ୍ଛାପୁର ଗାଁର ଟଙ୍କଧର ଖର୍ସେଲ୍‌ ବିଧାୟକଙ୍କ କଥାକୁ ବିରୋଧ କରିଥିଲେ। ବିଧାୟକ ଦିବ୍ୟଶଙ୍କର ଚାଷୀଙ୍କୁ ମେଡିକାଲ ସୁବିଧା କଥା କହିବା ବେଳେ ଟଙ୍କଧର ବିରୋଧ କରି ବେକାର କଥା ବୋଲି କହିଥିଲେ। ଏଥିରେ ରାଗିଯାଇ ବିଧାୟକ ତାଙ୍କୁ ଧମକ ଦେଇଥିଲେ। ବିଧାୟକ ତାଙ୍କୁ ‘ମାରିଦେବି ମାରିଦେବି’ ବୋଲି କହିଥିବା ଟଙ୍କଧର ଅଭିଯୋଗ କରିଛନ୍ତି। ଟଙ୍କଧରଙ୍କୁ ବିଧାୟକ ଗାଳିଗୁଲ଼ଜ କରିବାର ଭିଡିଓ ଭାଇରାଲ ହୋଇଛି।

ବିଧାୟକ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା

“ସଂପୃକ୍ତ ଯୁଵକ ଜଣକ ଦିବ୍ୟାଙ୍ଗ ଵୋଲି ଜାଣିନଥିଲି। ସଭାସ୍ଥଳରେ ମହିଳାମାନଙ୍କ ଉପସ୍ଥିତିରେ ସଂପୃକ୍ତ ଯୁବକ ଖରାପ ଭାଷା ପ୍ରୟୋଗ କରିଵାରୁ ରାଗିଯାଇ ମୁଁ କହିଥିଲି।”

You might also like